fbpx

ମହିଳାଙ୍କୁ ଦୟା ଦେଖାଉଛି ତାଲିବାନ, ବିଶ୍ୱ ବିଦ୍ୟାଳୟରେ ପଢିବାକୁ ଦେଲା ଅନୁମତି, ହେଲେ ରଖିଲା ଏହି ସବୁ ସର୍ତ୍ତ

ନୂଆଦିଲ୍ଲୀ : ଆଫଗାନିସ୍ତାନରେର ତାଲିବାନ ସରକାରର ଶାସନ ଆରମ୍ଭ ହୋଇ ଯାଇଛି । ହେଲେ କ୍ଷମତା ସମ୍ଭାଳୁ ସମ୍ଭାଳୁ ନିଜର ଅସଲ ରଙ୍ଗା ଦେଖାଇବା ଆରମ୍ଭ କରିଛି ତାଲିବାନ । ଆଜିର ସମୟରେ ଯେଉଁଠି ପ୍ରତିଟି ମଣିଷ ପାଇଁ ପାଠ ପଢିବାର ମୌଳିକ ଅଧିକାର ରହିଛି, ସେଠି ତାଲିବାନ ଆଫଗାନ ମହିଳାଙ୍କୁ ଦୟା କରି ପାଠ ପଢିବାକୁ ଅନୁମତି ଦେଇଛି । ତାଲିବାନ ମହିଳାଙ୍କୁ ଉଚ୍ଚ ଶିକ୍ଷା ଲାଭ ପାଇଁ ଅନୁମତି ତ ଦେଇଛି କିନ୍ତୁ ଅନେକ ସର୍ତ୍ତ ମଧ୍ୟ ରଖିଛି । ନୂତନ ତାଲିବାନ ସରକାରରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ କହିବା କଥା ମହିଳା ପୋଷ୍ଟ ଗ୍ରାଜୁଏଟ୍ ପର୍ଯ୍ୟନ୍ତ ବିଶ୍ୱ ବିଦ୍ୟାଳୟରେ ପଢି ପାରିବେ କିନ୍ତୁ ଛାତ୍ର ଏବଂ ଛାତ୍ରୀଙ୍କ ପାଇଁ ଅଲଗା ଅଲଗା ଶ୍ରେଣୀ ଗୃହ ରହିବ । ବିଶ୍ୱ ବିଦ୍ୟାଳୟରେ ଇସଲାମି ପୋଷାକ ବାଧ୍ୟତାମୂଳକ ରହିବ ।

ଆଫଗାନିସ୍ତାନରେ ନୂତନ ତାଲିବାନ ସରକାର ଗଠନ ପରେ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଶିକ୍ଷା ମନ୍ତ୍ରୀ ଅବଦୁଲ ବାକି ହକ୍କାନୀ ନୂତନ ନୀତି ରଖିଥିଲେ । ସେ କହିଛନ୍ତି, ବିଶ୍ୱ ବିଦ୍ୟାଳୟର ଛାତ୍ରୀଙ୍କୁ ହିଜାବ ପିନ୍ଧିବା ବାଧ୍ୟତାମୂଳକ । କିନ୍ତୁ ସେ ଏହା ସ୍ପଷ୍ଟ କରି ନାହାନ୍ତି ଯେ, ଛାତ୍ରୀଙ୍କୁ ପୂରା ଚେହେରା ଢାକିବାକୁ ପଡିବ କି ନାହିଁ ।

ସେ କହିଛନ୍ତି, ଆମେ ଛାତ୍ର ଏବଂ ଛାତ୍ରୀଙ୍କୁ ଏକାଠି ପଢିବାକୁ ଦେବୁ ନାହିଁ । ଆମେ ସହ ଶିକ୍ଷା ନୀତିକୁ ଅନୁମତି ଦେଇ ପାରିବୁ ନାହିଁ । ହକ୍କାନୀ କହିଛନ୍ତି, ବିଶ୍ୱ ବିଦ୍ୟାଳୟରେ ପଢାଯାଉଥିବା ବିଷୟର ମଧ୍ୟ ସମୀକ୍ଷା କରାଯିବ । ଉଲ୍ଲେଖଯୋଗ୍ୟ ପୂର୍ବ ସରକାରରେ ତାଲିବାନ ସଙ୍ଗୀତ ଏବଂ କଳା ଉପରେ କଟକଣା ଲଗାଇଥିଲା ।

ସୂଚନାଯୋଗ୍ୟ, ତାଲିବାନୀ ଶାସନରେ ମହିଳାଙ୍କ ଉପରେ କଡା କଟକଣା ଲଗାଯାଇଥାଏ । ଏଥିରେ ସେମାନଙ୍କୁ ପଢିବା ମନା ଏବଂ ବାହାରକୁ ବାହାରିବା ମନା ସାମିଲ । କିନ୍ତୁ ଏଥର ତାଲିବାନ ମହିଳାଙ୍କୁ କିଛି ଅଧିକାର ପ୍ରଦାନ କରିବ ବୋଲି କହିଛି । କିନ୍ତୁ ତାଲିବାନୀଙ୍କ କଥାକୁ ଲୋକେ ଭରସା କରି ପାରୁ ନାହାନ୍ତି ।

 

Get real time updates directly on you device, subscribe now.