ନୂଆଦିଲ୍ଲୀ: ବଡ ଦୁର୍ଘଟଣାରୁ ବର୍ତ୍ତିଲା ବଜେଟ୍ ସାଉଥ କୋରିଆନ ଏୟାରଲାଇନ୍ସ ଜେଜୁ । ଆଜି ମଧ୍ୟ ବିମାନର ଲ୍ୟାଣ୍ଡିଂ ଗିୟରରେ ସମସ୍ୟା ହୋଇଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ବେଳେ ଯାତ୍ରୀମାନେ ମଧ୍ୟ ସୁରକ୍ଷିତ ରହିଥିବା ଜଣାପଡିଛି । 179 ଜଣଙ୍କ ବିମାନ କ୍ରାସରେ ମୃତ୍ୟୁ ହେବାର ଦିନକ ପରେ ଏହି ଦୁର୍ଘଟଣା ସାମ୍ନାକୁ ଆସିଛି ।
ଆଜି ସକାଳୁ ଅର୍ଥାତ୍ ସୋମବାର Jeju Air flight 7C101 ସିଓଲର ଜିମ୍ପୋ ଏୟାରପୋର୍ଟରୁ ଉଡାଣ ଭରିଥିଲା । ତେବେ ଉଡାଣ ଭରିଆର କିଛି ସମୟ ପରେ ହିଁ ଲ୍ୟାଣ୍ଡିଂ ଗିୟରରେ ସମସ୍ୟା ଦେଖାଯାଇଥିଲା । ଏହାପରେ ବିମାନଟି ଜିମ୍ପୋକୁ ପୁଣିଥରେ ଫେରିଯାଇଥିଲା । ଯେଉଁଠାରେ ସୁରକ୍ଷିତ ଭାବେ ଅବତରଣ ସରିଥିଲା । ତେବେ ହଠାତ୍ କାହିଁକି ଏଭଳି ସମସ୍ୟା ଦେଖାଯାଇଥିଲା ତାହାର ପ୍ରକୃତ କାର ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ ।
ପ୍ରକାଶଥାଉଛି, ଗତ ଡିସେମ୍ବର 29 ତାରିଖରେ ଜେଜୁର ଏକ ବିମାନ 181 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ କ୍ରାସ ହୋଇଥିଲା । ମୁଆନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଲ୍ୟାଣ୍ଡିଂ ସମୟରେ ବଡ ଦୁର୍ଘଟଣା ଘଟି ଜଳିଯାଇଥିଲା । 1997 ପରଠାରୁ ଏହା ସବୁଠାରୁ ବଡ ଦୁର୍ଘଟଣା ଥିଲା । ତେବେ ଦୁର୍ଘଟଣାରେ କେବଳ 2 ଜଣ ବର୍ତ୍ତି ପାରିଛନ୍ତି । 29 ତାରିଖରେ ହୋଇଥିବା ଦୁର୍ଘଟଣାରେ ବିମାନରେ ୧୭୫ ଯାତ୍ରୀ ଥିବା ବେଳେ ୬ କ୍ରୁ ମେମ୍ବର ରହିଥିଲେ । ଏହି ଦୁର୍ଘଟଣାରେ ମୋଟ ୧୭୯ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଦୁଇଜଣଙ୍କ ଚିକିତ୍ସା ଜାରି ରହିଛି ।