fbpx

୧୦ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ କ୍ଷେତ୍ର !

Advertisement

ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟ ଗଭୀର ଅବପାତ ଗତକାଲି ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ଏହା ବର୍ତ୍ତମାନ ଗାଙ୍ଗୀୟ ପଶ୍ଚିମବଙ୍ଗ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଦୁର୍ବଳ ହୋଇ ଧୀରେ ଧୀରେ ଝାଡ଼ଖଣ୍ଡ ମୁହାଁ ହେଉଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆଜିଠାରୁ ବର୍ଷାର ପରିମାଣ କମିବ ।

ପଶ୍ଚିମ ଓଡ଼ିଶାର କେତୋଟି ଜିଲ୍ଲା ସହିତ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହେବା ନେଇ ଅନୁମାନ କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ୪ଟି ବ୍ଲକରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ ୧୭ଟି ବ୍ଲକରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ଅନ୍ୟପକ୍ଷରେ ଚଳିତମାସ ୧୦ତାରିଖ ବେଳକୁ ବଙ୍ଗୋପସାଗରରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା ସ୍କାଇମେଟ୍‍ ଅନୁମାନ କରିଛି ।

ଅନ୍ୟପଟେ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେବା ସହ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ୱ ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର-ଏସ୍‍ଆର୍‍ସି ଗତକାଲି ସ୍ଥିତିର ସମୀକ୍ଷା କରିଛନ୍ତି । ଏସ୍‍ଆର୍‍ସିଙ୍କ ସୂଚନା ଅନୁସାରେ ୧୭ଟି ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ସନ୍ଧ୍ୟାସୁଦ୍ଧା ବନ୍ୟା ଆଶଙ୍କିତ ଅଞ୍ଚଳକୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସେ କହିଛନ୍ତି ୯୦ଟି ସ୍ଥାନରେ ଲୋକମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ସମ୍ଭାବ୍ୟ ବନ୍ୟାସ୍ଥିତିର ମୁକାବିଲା ପାଇଁ ରାଜ୍ୟର ୧୦ଟି ଜିଲ୍ଲାରେ ଓଡ୍ରାଫ୍‍, ଏନ୍‍ଡିଆର୍‍ଏଫ୍‍ ଓ ଅଗ୍ନିଶମ ବାହିନୀର ୨୩ଟି ଟିମ୍‍ ମୁତୟନ କରାଯାଇଛି ।

Get real time updates directly on you device, subscribe now.