ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିଲେ ମଧ୍ୟ ଗୁଳୁଗୁଳି ପ୍ରବଳ ମାତ୍ରାରେ ହେଉଛି। ଯାହାକୁ ନେଇ ଅତିଷ୍ଠ ହୋଇପଡିଲେଣୀ ରାଜ୍ୟବାସୀ। ତେବେ, ଏହାରି ଭିତରେ ପାଣିପାଗ ବିଭାଗ ଆଉ ଏକ ଖୁସି ଖବର ଦେଇଛି। ଆସୁଛି ଲଘୁଚାପ। ତେବେ, ଆସନ୍ତୁ ଜାଣିବା କେବେ ଏହି ଲଘୁଚାପ ହେବ। ଏହାର ପ୍ରଭାବରେ ରାଜ୍ୟର କେଉଁ ସବୁ ସ୍ଥାନରେ ବର୍ଷା ହେବା ନେଇ ଆଲର୍ଟ ଜାରି ହୋଇଛି।
ଆଞ୍ଚଳିକ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ,ଆସନ୍ତା ୨୪ ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କରାଯାଇଛି। ୨୨ ଜୁଲାଇ ବେଳକୁ ଉତ୍ତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ମିଆଁମାର ତଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି ।
ଲଘୁଚାପ ପ୍ରଭାବରେ ୨୩ ରୁ ୨୫ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଜି(ରବିବାର) ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଓ ଉପକୂଳ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ବା ଝଡ଼ବର୍ଷା ହେବାର ସମ୍ଭାବନା ରହିଛି।
ତେବେ, ଏହିଜିଲ୍ଲା ଗୁଡିକ ହେଲା,ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୋନପୁର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଅନୁଗୋଳ, ସମ୍ବଲପୁର, ରାୟଗଡ଼ା, କୋରାପୁଟ ଓ ଗଜପତି ଆଦି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବଜ୍ରପାତ ଓ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
ସେହିପରି, ୨୧ ତାରିଖରେ କୋରାପୁଟ, କଳାହାଣ୍ଡି , କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି।
୨୨ ତାରିଖରେ, କଳାହାଣ୍ଡି, କନ୍ଧମାଳ, ଗଜପତି , ରାୟଗଡ଼ା ମୟୂରଭଞ୍ଜ, କେନ୍ଦୁଝର, ସୋନପୁର, ବୌଦ୍ଧ, ବଲାଙ୍ଗିର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଝଡ଼ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୩ ଓ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ସହିତ ବିଜୁଳି ଘଡ଼ଘଡି଼ ହେବାର ସମ୍ଭାବନା ରହିଛି।