(Video) ବଡ଼ ଘଟଣା: ଅନୁଭବ-ବର୍ଷାଙ୍କ ମଧ୍ୟରେ ଛାଡ଼ପତ୍ର! ସୋସିଆଲ ମିଡ଼ିଆରେ ସୂଚନା ଦେଲେ ଅଭିନେତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ୍ ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ବର୍ଷ ବର୍ଷ ଧରି ଏହି ମାମଲା କୋର୍ଟରେ ବିଚାରାଧୀନ ରହିବା ପରେ ଗତ ବର୍ଷ ଡିସେମ୍ବର ମାସ ୨୧ ତାରିଖରେ ହାଇକୋର୍ଟ ଏକ ବଡ଼ ରାୟ ଶୁଣାଣି କରିଥିଲେ । ତଳ କୋର୍ଟଙ୍କ ରାୟକୁ ହାଇକୋର୍ଟ ଖାରଜ କରିଦେବା ସହ ଅନୁଭବଙ୍କୁ ଛାଡ଼ପତ୍ର ଆବେଦନ ପାଇଁ ଅନୁମତି ଦେଇଥିଲେ ।

ସୂଚନା ମୁତାବକ, ସାଂସଦ ଅନୁଭବ ଓ ଅଭିନେତ୍ରୀ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ନିଜର ବିବାହ ବିଚ୍ଛେଦ ବାବଦରେ ନିଜେ ଅନୁଭବ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ସୂଚନା ଦେଇଛନ୍ତି । ବିବାହର ୧୦ ବର୍ଷ ପୂର୍ତ୍ତି ପୂର୍ବରୁ ତାଙ୍କର ଛାଡ଼ପତ୍ର ହୋଇଥିବା ଅନୁଭବ ଲେଖିଛନ୍ତି । ଏହି ଅବସରରେ ଅନୁଭବ କୋର୍ଟଙ୍କ ଅର୍ଡରର ଏକ ଫଟୋକପିକୁ ସଂଲଗ୍ନ କରିଛନ୍ତି । ଗତ ୧୦ ବର୍ଷର ବିବାହ ବନ୍ଧନ ତାଙ୍କ ପାଇଁ ବେଶ୍ କଷ୍ଟଦାୟକ, ହୃଦୟହୀନ ଓ ଅର୍ଥହୀନ ଥିଲା ବୋଲି ସେ କହିଛନ୍ତି । ଫେବୃଆରୀ ୮ ତାରିଖରେ ତାଙ୍କର ବିବାହକୁ ୧୦ ବର୍ଷ ପୂରିଥିବା ବେଳେ ଏହାର ଗୋଟିଏ ଦିନ ପୂର୍ବରୁ ତାଙ୍କର ବିବାହ ବିଚ୍ଛେଦ ହୋଇଥିବା ଅନୁଭବ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ ପରିବାର କୋର୍ଟ ଖାରଜ କରିଦେଇଥିଲେ । ଏଥିସହିତ ଦୁହେଁ ଏକାଠି ରହିବା ନେଇ ବର୍ଷା କରିଥିବା ଆବେଦନକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ । ଏନେଇ ଅନୁଭବ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଅନୁଭବଙ୍କୁ ଛାଡ଼ପତ୍ର ଆବେଦନ ପାଇଁ ହାଇକୋର୍ଟ ଅନୁମତି ଦେବା ପରେ ବର୍ଷାଙ୍କୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ହୋଇଥିଲା । ବର୍ଷା ବିବାହ ବିଚ୍ଛେଦରେ ପୂର୍ଣ୍ଣଚ୍ଛେଦ ଟାଣିବେ କି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ସେନେଇ ପ୍ରଶ୍ନ ଉଠିଥିଲା ।