ମୁମ୍ବାଇ: ମାୟାନଗରୀ ମୁମ୍ବାଇ । ଫିଲ୍ମଇଣ୍ଡଷ୍ଟ୍ରୀରେ ଏନ୍ଟ୍ରୀ କରିବା ଏବଂ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହଜ କଥା ନୁହେଁ । ଭାଗ୍ୟ ସାଥ୍ ଦେଲେ ଭଲ । କିନ୍ତୁ ଆପଣ ପ୍ରତିଷ୍ଠିତ ହେଲା ପରେ ବି ନିଜ ସ୍ଥିତି ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ବଲିଉଡ଼ ଇଣ୍ଡଷ୍ଟ୍ରୀରେ ଅନେକ କଳାକାର ଅଛନ୍ତି ଯେଉଁମାନେ ସୁପରହିଟ୍ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିବା ପରେ ଲାଇମଲାଇଟ୍ରୁ ଦୂରେଇ ଯାଇଛନ୍ତି କିମ୍ବା ଲିଡ଼୍ ରୋଲରୁ ସପୋର୍ଟିଙ୍ଗ୍, ନେଗେଟିଭ୍ କିମ୍ବା କୌଣସି ଛୋଟ ରୋଲ କରୁଥିବାର ନଜର ଆସିଛନ୍ତି । ଆଜି ଆମେ ଏମିତି ଜଣେ ଷ୍ଟାର କିଡ଼ଙ୍କ ବଷୟରେ କହିବୁ ଯିଏ ହେଉଛନ୍ତି ବଲିଉଡ଼ ଏବଂ ସାଉଥ୍ ଇଣ୍ଡଷ୍ଟ୍ରୀର ଜଣେ ଭେଟେରାନ ନିର୍ମାତାଙ୍କ ପୁଅ ।
ଅନେକ ବର୍ଷରୁ ଏହି ଆକ୍ଟର ଜଣଙ୍କ ଗୋଟିଏ ବି ସୋଲୋ ହିଟ୍ ବା ବ୍ଲକବଷ୍ଟର ଫିଲ୍ମ କରିନାହାନ୍ତି । ଏତେ ଅସଫଳତା ପରେ ମଧ୍ୟ ତାଙ୍କୁ ବଡ଼ ବଡ଼ ପ୍ରୋଜେକ୍ଟ ମିଳୁଛି । ହଁ ଆଜ୍ଞା ଆମେ କଥା ହେଉଛୁ ବିଶିଷ୍ଟ ଫିଲ୍ମ ନିର୍ମାତା ବୋନି କପୁରଙ୍କ ପୁଅ ଅର୍ଜୁନ କପୁରଙ୍କ ବିଷୟରେ । ୨୦୧୨ରେ ‘ଇଶକ୍ଜାଦେ’ରୁ ବଲିଉଡ଼ରେ ଏଣ୍ଟ୍ରୀ କରିଥିଲେ । ଏହି ଚଳଚ୍ଚିତ୍ର ବ୍ଲକବଷ୍ଟର ହୋଇଥିଲା । ଏହା ପରେ ‘ଟୁ ଷ୍ଟେଟ୍ସ୍’ ଏବଂ ‘ହାଫ୍ ଗର୍ଲଫ୍ରେଣ୍ଡ’ ଭଳି ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ୨୦୧୭ରେ ହାଫ୍ ଗର୍ଲଫ୍ରେଣ୍ଡ ରିଲିଜ ହୋଇଥିଲା । ଏହା ପରେ ସେ ୧୦ଟି ଫିଲ୍ମରେ କାମ କରିଥିଲେ ସୁଦ୍ଧା ଗୋଟିଏ ବି ଫିଲ୍ମ ହିଟ୍ ହୋଇନି ବା ବକ୍ସ ଅଫିସରେ ଏତେ କମାଲ ଦେଖାଇପାରିନି । ତାଙ୍କର କେତୋଟି ଫିଲ୍ମ ଫ୍ଲପ୍ ମଧ୍ୟ ହୋଇଛି । ନିକଟରେ ଅର୍ଜୁନ କପୁରଙ୍କ ଲେଟେଷ୍ଟ ରିଲିଜ ‘ଦି ଲେଡ଼ି କିଲର’କୁ ସୀମିତ ସ୍କ୍ରୀନ୍ରେ ରିଲିଜ ହେବା ସତ୍ତ୍ୱେ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିଥିଲା । ଏହା ପୂର୍ବରୁ ମଲ୍ଟି ଷ୍ଟାରର ‘କୁତ୍ତେ’ ଭାରତରେ କେବଳ ୪ କୋଟି ଟଙ୍କାର ମୋଟ୍ ଆୟ କରିଥିଲା । ୨୦୨୧ରେ କୋଭିଡ଼୍ ସମୟରେ ରିଲିଜ ହୋଇଥିବା ‘ସଂଦୀପ ଔର ପିଙ୍କି ଫରାର’କୁ ଲକ୍ଡ଼ାଉନ୍ କାରଣରୁ କ୍ଷତି ସହିବାକୁ ପଡ଼ିଥିଲା । କିନ୍ତୁ ଓଟିଟିରେ ଲୋକମାନେ ଏହାକୁ ବେଶ ପ୍ରଶଂସା କରିଥିଲେ ।
ଏତେ ସବୁ ଅସଫଳତା ପରେ ମଧ୍ୟ ଏହା ଅର୍ଜୁନ କପୁରଙ୍କ କ୍ୟାରିୟର ଉପରେ କୌଣସି ପ୍ରଭାବ ପକାଇପାରି ନଥିଲା । ବର୍ତ୍ତମାନ ଅର୍ଜୁନ ରୋମାଣ୍ଟିକ୍ ଡ୍ରାମା ଫିଲ୍ମ ‘ମେରି ପତ୍ନୀକା ରିମେକ୍’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ସୂଚନାରୁ ପ୍ରକାଶ ଯେ ରୋହିତ ଶେଟ୍ଟିଙ୍କ ବହୁ ପ୍ରତିକ୍ଷିତ ଫିଲ୍କ ‘ସିଂଘମ ରିଟର୍ଣ୍ଣସ’ରେ ସେ ମୁଖ୍ୟ ଭିଲିଆନ୍ ଭୂମିକାରେ ନଜର ଆସିବେ । ଏହା ସିଂଘମ୍ ଫ୍ରାନଚାଇଜୀ ଏବଂ କପ୍ ୟୁନିଭର୍ସର ଏକ ଅଂଶ ବିଶେଷ । ଏହାର ଆନୁମାନିକ ବଜେଟ୍ ହେଉଛି ୨୦୦ କୋଟି ଟଙ୍କା ।