ପୁଣି ସେନା-ଆତଙ୍କୀ Encounter: ସୁରକ୍ଷାବଳର ଗୁଳିରେ ଟଳିପଡ଼ିଲେ ୨ ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ଭାରତୀୟ ସେନା ଏବଂ ଆତଙ୍କବାଦୀ । ସୋପୋରରେ ହୋଇଥିବା ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏହାସହିତ ଲସ୍କର-ଏ-ତୋଇବାର ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ସେନାବାହିନୀ । ଶ୍ରୀନଗର ଗ୍ରେନେଡ ଆକ୍ରମଣରେ ଏହି ବଡ଼ ସଫଳତା ହାସଲ କରିଛି ଭାରତୀୟ ସେନା । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଅନୁସାରେ, ସୋପୋର ଏନକାଉଣ୍ଟରରେ ବ୍ରିଗେଡିୟର ଦୀପକ ମୋହନ(କମାଣ୍ଡିଙ୍ଗ ଅଫିସର, ୭ ସେକ୍ଟର ଆରଆର) କହିଛନ୍ତି ଯେ, “ନଭେମ୍ବର ୭ ତାରିଖ ସନ୍ଧ୍ୟାରେ ସେନାକୁ ପାନିପୁରାରେ ୨ ଜଣ ଆତଙ୍କବାଦୀ ଲୁଚିଥିବା ନେଇ ସୂଚନା ମିଳିଥିଲା । ଜମ୍ମୁ କଶ୍ମୀର ପୋଲିସ ଏବଂ ସିଆରପିଏଫ ସଂଯୁକ୍ତ ରୂପରେ ସର୍ଚ୍ଚ ଅପରେସନ ଅଭିଯାନ ଆରମ୍ଭ କରିଥିଲା । ଏହି ସମୟରେ ଆତଙ୍କବାଦୀଙ୍କ ତରଫରୁ ଅଚାନକ ଗୁଳିବର୍ଷଣ ହୋଇଥିଲା । ତେବେ ଆତଙ୍କବାଦୀଙ୍କ ବିପକ୍ଷ ଏହି ଲଢେଇରେ ସଫଳତା ହାସଲ କରିଛି ଏବଂ ଆତଙ୍କବାଦୀଙ୍କୁ ଏନକାଉଣ୍ଟରରେ ଢେର କରିଛି ଭାରତୀୟ ସେନା । ଏହାସହିତ ଯୁଦ୍ଧ ସମ୍ବନ୍ଧୀୟ ବିଭିନ୍ନ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି । କିଛି ଦିନରୁ ଏହି ଆତଙ୍କବାଦୀ ଉତ୍ତର କାଶ୍ମୀରରେ ସକ୍ରିୟ ଥିବା ଜାଣିବାକୁ ମିଳିଥିଲା ।”

ସୂଚନା ଅନୁସାରେ, ଶ୍ରୀନଗର ଗ୍ରେନେଡ ଆକ୍ରମଣରେ ଲସ୍କର-ଏ-ତୋଇବା ସହ ଜଡ଼ିତ ୩ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଛି ସେନା ବାହିନୀ । ତେବେ ସୁପରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ଲଢେଇ ମଧ୍ୟରେ ୧୨ ଜଣ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି । ଇନ୍ସପେକ୍ଟର ଜେନେରାଲ୍ କାଶ୍ମୀର ଜୋନ୍, ଭି.କେ ବିରଦୀ କହିଛନ୍ତି ଯେ, ଗିରଫ ହୋଇଥିବା ବ୍ୟକ୍ତି ଉସାମା ୟାସିନ୍ ଶେଖ, ଓମାର ଫାୟାଜ ଶେଖ ଏବଂ ଆଫାନନ ମାନସୁର ଶେଖ ବୋଲି ଜଣାପଡିଛି। ଏହି ତିନିଜଣ ସହରର ଇଖ୍ରାଜପୋରା ଅଞ୍ଚଳର ବାସିନ୍ଦା।