fbpx

ଇଫତାର ପାର୍ଟି ଆୟୋଜନକୁ ନେଇ ଟୁଇଟ୍ କଲେ ଆର୍ମି, ଟ୍ରୋଲ ହେବାରୁ ନେଲେ ଏହି ପଦକ୍ଷେପ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ଡୋଡା ଜିଲ୍ଲାରେ ସେନା ପକ୍ଷରୁ ଇଫତାର ପାର୍ଟିର ଆୟୋଜନ କରାଯାଇଥିଲା। ଆଉ ଏହାର ଫଟୋ ମଧ୍ୟ ସେନା ତରଫରୁ ଟୁଇଟ୍ କରାଯାଇଥିଲା। ତେବେ ଏହି ଟୁଇଟକୁ ନେଇ କଠୋରପନ୍ଥୀଙ୍କ ଟାର୍ଗେଟରେ ଆସିଥିଲେ ସେନା। ଏହାକୁ ନେଇ ଖୁବ ଟ୍ରୋଲ ହେବା ପରେ ସେନା ଏହି ଟୁଇଟକୁ ହଟାଇ ଦେଇଛି।

ସୂଚନାଯୋଗ୍ୟ, ଏପ୍ରିଲ ୨୧ରେ ସେନା ଫକ୍ଷରୁ ଏକ ଟୁଇଟ୍ କରାଯାଇଥିଲା। କିଛି ସମୟ ପରେ ଏହି ଟୁଇଟ୍ ଟ୍ରୋଲ ହେବାରେ ଲାଗିଥିଲା। ଭାରତୀୟ ସେନା ପକ୍ଷରୁ ଡୋଡା ଅରନୋରାରେ ଇଫତାରର ଆୟୋଜନ କରାଯାଇଥିଲା। ଟୁଇଟ୍ ସହିତ ଅନେକ ଫଟୋ ସେୟାର ମଧ୍ୟ କରାଯାଇଥିଲା। ଏଥିରେ ସେନା ଏବଂ ନାଗରିକ ଏକ ସଙ୍ଗେ ରମଜାନର ଉପବାସ ଭାଙ୍ଗୁଥିଲେ। ଏଥିରେ ଜଣେ ବରିଷ୍ଠ ଅଧିକାରୀ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା।

ଏହି ଟୁଇଟ୍ ପୋଷ୍ଟ ହେବା ପରେ ଏହା କଠୋରପନ୍ଥୀଙ୍କ ଟାର୍ଗେଟରେ ଆସିଥିଲା। ଏହା ପରେ କିଛି ଘଣ୍ଟା ଭିତରେ ଏହାକୁ ହଟାଇ ନିଆଯାଇଥିଲା। ତେବେ ସେନାର ମୁଖପାତ୍ର ଏହି ପ୍ରସଙ୍ଗ ଉପରେ ଟିପ୍ପଣୀ କରିବାକୁ ମନା କରି ଦେଇଛନ୍ତି। ସେନାର ଜଣେ ଅଧିକାରୀ ନାମ ନଛାପିବା ସର୍ତ୍ତରେ କହିଛନ୍ତି ଯେ, ଆୟୋଜନକୁ ନେଇ ଏକ ଟୁଇଟ୍ କରାଯାଇଥିଲା। ଏହାକୁ ନେଇ ଏକ ଅଧିକାରୀକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଥିଲା ଯେ, ଇଫତାର ପାର୍ଟି ସମୟରେ ଜନତାଙ୍କ ସହ ସଂପର୍କ ସୁଦୃଢ ହୋଇଥାଏ।

ସେନାର ଅଧିକାରୀ କହିଛନ୍ତି, ଟୁଇଟ୍ ଉପରେ କିଛି ଲୋକଙ୍କ ପ୍ରତିକ୍ରିୟା ଦେଖି ଦୁଃଖ ସହିତ ଆଶ୍ଚର‌୍ୟ୍ୟ ଲାଗିଲା। ଏହା ଉପରେ ଅନାବଶ୍ୟକ ବିତର୍କ ହେଲା। ଅବସରପ୍ରାପ୍ତ ମେଜର ଜେନେରାଲ ୟଶ ମୋର କହିଛନ୍ତି, ଭାରତୀୟ ସେନା ଧାର୍ମିକ ସଦଭାବରେ ସବୁଠୁ ଆଗରେ ଅଛନ୍ତି। ଆମେ ଏହା ଉପରେ ଗର୍ବ କରୁ ଯେ, ଆମେ ପ୍ରତିଟି ସୈନିକଙ୍କ ଧର୍ମ ଆପଣେଇ ଥାଉ।

 

Get real time updates directly on you device, subscribe now.