fbpx

ସୁଧୁରିବନି ପାକିସ୍ତାନ: ବଲ୍ ଟାମ୍ପରିଙ୍ଗ କରୁଛନ୍ତି ଅର୍ଶଦୀପ ସିଂହ… ସଙ୍ଗୀନ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର

Advertisement

ନୂଆଦିଲ୍ଲୀ: କଥାରେ ଅଛି ମୋତେ ଯେତେ ମାଠିବୁ ମାଠ୍, ମୁଁ ସେହି ଦରପୋଡ଼ା କାଠ… ଓଡ଼ିଶାର ଏହି ରୁଢି ପାକିସ୍ତାନ କ୍ରିକେଟରଙ୍କ ଉପରେ ଖୁବ ମାନୁଛି । ଯେତେ କହିଲେ କି ଯେତେ ଟ୍ରୋଲ କଲେ ବି ପାକିସ୍ତାନ ନିଜ କାଣ୍ଡ କାରନାମାରୁ ନିବୃତ୍ତ ରହିବ ନାହିଁ । ଟି-୨୦ ବିଶ୍ୱକପରୁ ବିଦା ହେବା ପରେ ଏବେ ଅନ୍ୟ ଉପରକୁ କାଦୁଅ ଫିଙ୍ଗିବା ଆରମ୍ଭ କରିଛନ୍ତି ଦଳର ପୂର୍ବତନ କ୍ରିକେଟର ଇଞ୍ଜାମାମ ଉଲ ହକ୍ । ଟିମ ଇଣ୍ଡିଆର ଷ୍ଟାର ବୋଲର ଅର୍ଶଦୀପ ସିଂହଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଅର୍ଶଦୀପ ମ୍ୟାଚରେ ବଲ୍ ଟାମ୍ପରିଙ୍ଗ କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ସେ ପୁଣିଥରେ ଆଲୋଚନାର ବିଷୟ ପାଲଟିଛନ୍ତି ।

ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ୍ ହକ୍ ବର୍ତ୍ତମାନ ଅର୍ଶଦୀପ ସିଂହଙ୍କୁ ନେଇ ଏକ ବଡ଼ ଆରୋପ ଲଗାଇଛନ୍ତି । ଇସାରା-ଇସାରାରେ ସେ ଅର୍ଶଦୀପଙ୍କ ଉପରେ ବଲ ଟାମ୍ପରିଙ୍ଗ ଭଳି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଅମ୍ପାୟାର ଧ୍ୟାନ ଦେବା ଉଚିତ… ଅଷ୍ଟ୍ରେଲିଆ ବିପକ୍ଷରେ ୧୫ତମ ଓଭରରେ ଅର୍ଶଦୀପ ବଲକୁ ରିଭର୍ସ ସ୍ୱିଙ୍ଗ କରୁଥିଲେ । ଏହା କିପରି ସମ୍ଭବ ବୋଲି ସେ ପ୍ରଶ୍ନ କରିଛନ୍ତି? ଟି-୨୦ ବିଶ୍ୱକପରେ ଲଗାତାର ବଲ ଟାମ୍ପରିଙ୍ଗ କରୁଥିବା ନେଇ ଅଭିଯୋଗ କରିଛନ୍ତି ଇଞ୍ଜାମାମ ଉଲ୍ ହକ୍ । ଏହାବ୍ୟତୀତ ପୂର୍ବ ଅଧିନାୟକ ସଲୀମ ମଲିକ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଶଦୀପଙ୍କ ବୋଲିଂରେ ରିଭର୍ସ ସ୍ୱିଙ୍ଗକୁ ନେଇ ପ୍ରଶ୍ନ କରିଛନ୍ତି ।

ଉଭୟ କ୍ରିକେଟର କହିଛନ୍ତି ଯେ, ଯେକୌଣସି ବୋଲରକୁ ରିଭର୍ସ ସ୍ୱିଙ୍ଗ ପାଇବା ପାଇଁ ମ୍ୟାଚର ୧୪-୧୫ ଓଭର ଖୁବ କମ୍ ସମୟ ହୋଇଥାଏ । ଏହାପରେ ସେମାନେ କହିଛନ୍ତି ଯେ, ଯଦି କୌଣସି ପାକିସ୍ତାନୀ ବୋଲର ଏପରି କରିଥାନ୍ତେ ତ ବର୍ତ୍ତମାନ ସୁଦ୍ଧା ମାମଲା ଗରମ ହୋଇଯାଇଥାନ୍ତା ।

ଇଞ୍ଜାମାମ କହିଛନ୍ତି ଯେ, ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଶଦୀପ ୧୫ତମ ଓଭର ବୋଲିଂ କରୁଥିଲେ ଏବଂ ତାଙ୍କୁ ରିଭର୍ସ ସ୍ୱିଙ୍ଗ ମିଳୁଥିଲା । ଏହା ସେତେଟା ସମ୍ଭବ ନୁହେଁ । ତେବେ ଏହାର ଅର୍ଥ ବଲ ୧୨ତମ ଓଭର ସୁଦ୍ଧା ରିଭର୍ସ ସ୍ୱିଙ୍ଗ ହେବା ପାଇଁ ସକ୍ଷମ ହୋଇ ସାରିଥିଲା । ଅମ୍ପାୟାର୍ସଙ୍କୁ ଏଥିରେ ଟିକିଏ ଆଖି ଖୋଲା ରଖିବାକୁ ପଡ଼ିବ । ଏହାପରେ ସେ କହିଛନ୍ତି ଯେ, ବଲ କେବେ ଏବଂ କିପରି ରିଭର୍ସ ସ୍ୱିଙ୍ଗ ହୁଏ, ତାହା ଆମକୁ ଜଣା ଅଛି । ଯଦି ୧୫ତମ ଓଭରରେ ବଲ ରିଭର୍ସ ସ୍ୱିଙ୍ଗ ହେଉଛି, ତେବେ ବଲରେ କିଛି ସିରିୟସ କାମ ହୋଇଛି ବୋଲି କହିଛନ୍ତି ପାକିସ୍ତାନର ପୂର୍ବ ଅଧିନାୟକ ଇଞ୍ଜାମାମ ଉଲ୍ ହକ୍ ।

Get real time updates directly on you device, subscribe now.