fbpx
BJD SKY
BJD SKY

ନୋଟ୍ ଉପରେ ଲଗାଯାଉ ଲକ୍ଷ୍ମୀ ଏବଂ ଗଣେଶ ଜୀଙ୍କ ଫଟୋ, ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କଲେ କେଜ୍ରିଓ୍ଵାଲ

BJD

ନୂଆଦିଲ୍ଲୀ: ଭାରତୀୟ ମୁଦ୍ରାରେ ରହୁ ଲକ୍ଷ୍ମୀ ଏବଂ ଗଣେଶଙ୍କ ଛବି। ଏମିତି ଦାବି କରିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ। ସେ ଅର୍ଥବ୍ୟବସ୍ଥାର ଉନ୍ନତ ସ୍ଥିତି ଏବଂ ଦେଶକୁ ବିକଶିତ କରିବା ଲାଗି ଦେବୀ-ଦେବତାଙ୍କ ଆଶୀର୍ବାଦର ଆବଶ୍ୟକତା ଥିବା ଦର୍ଶାଇ ଏମିତି ଦାବି କରିଛନ୍ତି। କେଜ୍ରିଓ୍ଵାଲ କହିଛନ୍ତି, ନୋଟର ଗୋଟିଏ ପାର୍ଶ୍ଵରେ ଗାନ୍ଧୀ ଜୀଙ୍କ ଫଟୋ ରହୁ ଏବଂ ଅନ୍ୟ ପାର୍ଶ୍ଵରେ ଲକ୍ଷ୍ମୀ-ଗଣେଶଙ୍କ ଫଟୋ ରହୁ। ସେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିବେ।

ଅରବିନ୍ଦ କେଜ୍ରିଓ୍ଵାଲ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦୀପାବଳି ରାତିରେ ପୂଜା କରିବା ସମୟରେ ତାଙ୍କ ମନରେ ଏହି ବିଚାର ଆସିଥିଲା। ଏ ବିଷୟରେ ଅନେକ ଲୋକଙ୍କ ସହିତ କଥା ହେଲି। ଲାଗୁଛି ଏହା ଉପରେ କେହି ଆପତ୍ତି କରିବା ଉଚିତ୍ ନୁହେଁ। ଡଲାର ତୂଳନାରେ ଭାରତୀୟ ମୁଦ୍ରା ଦୁର୍ବଳ ହେବା ଉପରେ କେଜ୍ରିଓ୍ଵାଲ କହିଛନ୍ତି, ଉଦ୍ୟମ ତେବେ ସଫଳ ହେବ ଯେବେ ଦେବୀ-ଦେବତାଙ୍କ ଆଶୀର୍ବାଦ ସାଥିରେ ଥିବ। ଆମେ ସମସ୍ତେ ଚାହୁଁଛୁ ଭାରତ ଧନୀ ଦେଶରେ ପରିଣତ ହେଉ ଏବଂ ଭାରତବାସୀ ଧନୀ ପରିବାର ହେଉ। ଏଥିପାଇଁ ବହୁତ ପଦକ୍ଷେପ ନେବାକୁ ପଡିବ। ଆମକୁ ବଡ ସଂଖ୍ୟାରେ ବିଦ୍ୟାଳୟ ଏବଂ ଡାକ୍ତରଖାନା ନିର୍ମାଣ କରିବାର ଅଛି। ଭିତ୍ତିଭୂମି ପ୍ରସ୍ତୁତ କରିବାର ଅଛି। ମାତ୍ର ପ୍ରଚେଷ୍ଟା ତେବେ ସଫଳ ହେବ ଯେବେ ଦେବୀ-ଦେବତାଙ୍କ ଆଶୀର୍ବାଦ ଆମ ଉପରେ ରହିବ। ଅନେକ ଥର ଦେଖିବାକୁ ମିଳିଛି ଉଦ୍ୟମ ପରେ ବି ପରିଣାମ ମିଳିନାହିଁ। ସେହି ସମୟରେ ଲାଗେ ଭଗବାନଙ୍କ ଆଶୀର୍ବାଦ ଥିଲେ ପରିଣାମ ଭିନ୍ନ ଆସିଥାନ୍ତା।

କେଜ୍ରିଓ୍ଵାଲ କହିଛନ୍ତି, ୨୪ ତାରିଖ ଦୀପାବଳି ଥିଲା। ଆମେ ସମସ୍ତେ ଶ୍ରୀଗଣେଶ ଏବଂ ଲକ୍ଷ୍ମୀ ମାଙ୍କ ପୂଜା କଲୁ। ଆମେ ସୁଖ ଶାନ୍ତି ପାଇଁ ପ୍ରାର୍ଥନା କଲୁ। ଆମେ ଦେଖିଛୁ ଭାରତରେ ଯେତେ ବି ବ୍ୟବସାୟୀ ଏବଂ ଉଦ୍ୟୋଗପତି ଅଛନ୍ତି, ସମସ୍ତେ ନିଜ ଦୋକାନ ହେଉ କି କାର୍ଯ୍ୟାଳୟରେ ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତି ରଖିଛନ୍ତି। ପ୍ରତିଦିନ ସକାଳେ କାମ ଆରମ୍ଭ କରିବା ପୂର୍ବରୁ ପୂଜା କରିଥାନ୍ତି। ଆଜି ମୋର କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ ଯେ, ଭାରତୀୟ ମୁଦ୍ରାର ଗୋଟିଏ ପାର୍ଶ୍ଵରେ ଗାନ୍ଧୀ ଜୀଙ୍କ ଫଟୋ ରହିବା ଉଚିତ୍ ଏବଂ ଅନ୍ୟ ପାର୍ଶ୍ଵରେ ଗଣେଶ ଏବଂ ମା ଲକ୍ଷ୍ମୀଙ୍କ ଫଟୋ ଲଗାଯାଉ।

Get real time updates directly on you device, subscribe now.