ମୁଣ୍ଡ କଟିଯିବ ପଛେ ଆମେ ଦେଶ ପ୍ରତି ବିଶ୍ୱାସଘାତକତା କେବେ ବି କରିବୁ ନାହିଁ: ପଞ୍ଜାବ ମନ୍ତ୍ରୀଙ୍କ ବରଖାସ୍ତ ପରେ ଏପରି କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନିଜ ମନ୍ତ୍ରିମଣ୍ଡଳରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ବରଖାସ୍ତ କରିଛନ୍ତି । ଶ୍ରୀ ସିଙ୍ଗଲାଙ୍କ ବିରୋଧରେ ଦୁର୍ନୀତିର ବଳିଷ୍ଠ ପ୍ରମାଣ ମିଳିବା ପରେ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ନିକଟରେ ପଞ୍ଜାବରେ ଆମ ଆଦମୀ ପାର୍ଟି (ଆପ) ସରକାର ଗଠନ କରିଥିବା ବେଳେ ମାତ୍ର ଦିନ କେଇଟାରେ ଜଣେ ମନ୍ତ୍ରୀଙ୍କ ମୁଣ୍ଡ ଗଡ଼ିଛି । ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

କେଜ୍ରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମାନ’ଙ୍କ ପଦକ୍ଷେପକୁ ମୁଁ ପ୍ରଶଂସା କରୁଛି, ସେ ଆପ ଦଳ ପାଇଁ ଗର୍ବ । ଆମର ବେକ କଟିଗଲେ ବି ଆମେ ଦେଶ ପ୍ରତି ବିଶ୍ୱାସଘାତକତା କରିବୁ ନାହିଁ, ଏହା ଆପ ପ୍ରମାଣିତ କରିଦେଇଛି । ପଞ୍ଜାବର ଆପ ମନ୍ତ୍ରୀଙ୍କ ଭ୍ରଷ୍ଟାଚାର ବିଷୟରେ ନା ବିରୋଧୀ, ନା ମିଡ଼ିଆ କାହାକୁ କିଛି ବି ଜଣା ନଥିଲା । ମୁଖ୍ୟମନ୍ତ୍ରୀ ମାନ ଯଦି ଚାହିଁଥାନ୍ତେ, ଏହି ଘଟଣାକୁ ଚାପି ଦେଇ ପାରିଥାନ୍ତେ । ମାତ୍ର ସେ ନିଜ ମନ୍ତ୍ରୀଙ୍କ ବିରୋଧରେ କଡ଼ା ଆକ୍ସନ ନେଇଥିଲେ । ମାନ କେବଳ ପଞ୍ଜାବ ନୁହେଁ, ସମଗ୍ର ଦେଶର ଗର୍ବ ଅଟନ୍ତି ।

ସେ କହିଛନ୍ତି, ୨୦୧୫ରେ ଦିଲ୍ଲୀରେ ଆମର ସରକାର ଥିବା ସମୟରେ ମୁଁ ଖାଦ୍ୟ ମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲି । ସେ ସମୟରେ ମଧ୍ୟ ଉକ୍ତ ମନ୍ତ୍ରୀଙ୍କ ଦୁର୍ନୀତି ବିରୋଧରେ କାହାକୁ ଜଣାନଥିଲା । ପ୍ରମାଣ ମିଳିବା ପରେ ଦୁର୍ନୀତିଖୋର ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଆପ ଏକ କଟ୍ଟର ଇମାନଦାରୀ ପାର୍ଟି, ଆମର ନିଜ ଲୋକ ଚୋରି କଲେ ମଧ୍ୟ ଆମେ ତାଙ୍କୁ ଛାଡ଼ିବୁ ନାହିଁ ।

Get real time updates directly on you device, subscribe now.