fbpx

ASP ତ୍ରିନାଥ ମିଶ୍ରଙ୍କୁ ମିଳିଲା ଜାମିନ୍, ଦୁଇ ମାସ ମଧ୍ୟରେ ଦାଖଲ ହୋଇପାରିଲାନି ଚାର୍ଜସିଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଏଏସପି ତ୍ରିନାଥ ମିଶ୍ରଙ୍କୁ ଜାମିନ୍ ମିଳିଛି । ଦୁଇ ମାସ ମଧ୍ୟରେ ତଦନ୍ତକାରୀ ଅଧିକାରୀ ତ୍ରିନାଥଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବାରେ ବିଫଳ ହୋଇଥିଲା । ଫଳରେ ତ୍ରିନାଥଙ୍କୁ ଭିଜିଲାନ୍ସ କୋର୍ଟ ପକ୍ଷରୁ ଜାମିନ୍ ପ୍ରଦାନ କରାଯାଇଛି । ଦୁଇ ଜାମିନଦାର ଓ ୫୦ ହଜାର ଟଙ୍କାର ମୁଚାଲିକାରେ ତାଙ୍କୁ ଜାମିନ୍ ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ମାସ ୧୬ ତାରିଖରେ ଭିଜିଲାନ୍ସ ତ୍ରିନାଥଙ୍କୁ ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଥିଲା । ତ୍ରିନାଥ ଓ ତାଙ୍କ ପତ୍ନୀ ଦୀପ୍ତିମୟୀ ଚୌଧୁରୀଙ୍କ ନାମରେ ଥିବା କୋଟି କୋଟି ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ଜବତ କରିଥିଲା । ଗତ ମାର୍ଚ୍ଚ ୮ ତାରିଖରେ ଦୀପ୍ତିମୟୀଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ୍ ମିଳିଯାଇଥିଲା । ସେହିପରି ତ୍ରିନାଥ ମଧ୍ୟ ଜାମିନ ପାଇଁ ଭିଜିଲାନ୍ସ କୋର୍ଟରେ ଆବେଦନ କରିଥିଲେ ।

ଏହି ଘଟଣାରେ ଭିଜିଲାନ୍ସକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିଲେ ଦୀପ୍ତିମୟୀ । ଭିଜିଲାନ୍ସ ଜବତ କରିଥିବା ସାମଗ୍ରୀର ପ୍ରମାଣ ଦେଉ ବୋଲି ସେ କହିବା ସହ ଭିଜିଲାନ୍ସ ବିରୋଧରେ କୋର୍ଟ ଯିବେ ବୋଲି କହିଥିଲେ । ଭିଜିଲାନ୍ସ ଚଢ଼ଉ ସମୟରେ ତ୍ରିନାଥଙ୍କର ଭୁବନେଶ୍ୱର ଓ ଯାଜପୁରରେ ଥିବା ୩ଟି ପ୍ଲଟ, ନଗଦ ୩.୫ ଲକ୍ଷ ଟଙ୍କା ଠାବ ହୋଇଥିଲା । ଏଥିସହ ତ୍ରିନାଥଙ୍କର ଅନେକ ଏକ କୋଟିର ଦାମୀ କାର୍ ଓ ଦାମୀ ବାଇକ୍ ଜବତ ହୋଇଥିଲା । ଉକ୍ତ ଚଢ଼ାଉରେ ୩ ଏଏସପି, ୧୦ ଡିଏସପି, ୧୩ ଇନ୍ସକେପ୍ଟରଙ୍କ ସହ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ । ତ୍ରିନାଥଙ୍କ ନିକଟରୁ ମୋଟ ୨୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା । ଫେବୃଆରୀ ୨୧ ତାରିଖରେ ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ।

Get real time updates directly on you device, subscribe now.