fbpx

ଟ୍ରେନ୍‌ ଆଗକୁ ଡ଼େଇଁ ଜୀବନ ହାରିଲା ପୁଅ, ଦୁଃଖରେ ଭାଙ୍ଗି ପଡି ବାପା ବି ବାଛିନେଲେ ସମାନ ପନ୍ଥା

ବଲାଙ୍ଗିର,(ଭାସ୍କର ନ୍ୟୁଜ୍‌) : ବାପା ଥାଉ ଥାଉ ଜୀବନ ହାରିଦେଲା ପୁଅ । ଟ୍ରେନ୍‌ ଆଗକୁ ଡ଼େଇଁ ଆତ୍ମହତ୍ୟା କଲା । ଯେଉଁ ପୁଅ ମୁହଁ ଦେଖି ବାପା ଦିନ କାଟୁଥିଲା ବୃଦ୍ଧ କାଳେ ଯିଏ ସାହା ଭରସା ହେବ ବୋଲି ଆଶା ରଖୁଥିଲା ତାହାର ଅଚାନକ ମୃତ୍ୟୁ ମାନସିକ ସ୍ତରରେ ବାପାଙ୍କୁ ଦୁର୍ବଳ କରିକାଇଲା । ପୁଅ ବିନା ଜୀବନ ରଖି କିଛି ଲାଭ ନାହିଁ ବୋଲି ଭାବି ଯେଉଁ ସ୍ଥାନରେ ପୁଅ ଟ୍ରେନ୍‌ ଆଗକୁ ଡ଼େଇଁଥିଲା ଠିକ୍‌ ସେହି ସ୍ଥାନରେ ହିଁ ଟ୍ରେନ୍‌ ଆଗକୁ ଡ଼େଇଁ ଜୀବନଦେଲେ । ମାତ୍ର ଗୋଟିଏ ଦିନ ବ୍ୟବଧାନରେ ବାପା ପୁଅଙ୍କ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି । ଉଭୟଙ୍କ ମୃତ୍ୟୁ ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ସେମାନଙ୍କ ପରିବାର ଉପରେ ଦୁଃଖର କଳାବାଦଲ ଛାଇ ହୋଇଯାଇଛି । ଏପରି ଏକ ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ୍‌ ଛତାମଖନା ପଞ୍ଚାୟତର ବେଲବାହାଳି ଗାଁରେ ଘଟିଛି । ମୃତକଦ୍ୱୟ ହେଲେ ସେହି ଗାଁର ସୁରେନ୍ଦ୍ର ବାଗ ଓ ତାଙ୍କ ପୁଅ ବେଡ଼ା ବାଗ ।

କୌଣସି କାରଣକୁ ନେଇ ସୋମବାର ବେଡ଼ା ଯାମସର ରେଲୱେ ଫାଟକ ନିକଟରେ ଟ୍ରେନ୍‌ ଆଗକୁ ଡ଼େଇଁ ଜୀବନ ହାରିଥିଲେ । ଜିଆର୍‌ପି ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ପରିବାର ଲୋକେ ମୃତଦେହ ନେଇ ସକ୍ରାର କରିଥିଲେ । ହେଲେ ପୁଅର ଅଚାନକ ମୃତ୍ୟୁରେ ବାପା ସୁରେନ୍ଦ୍ରଙ୍କ ସମେତ ସମସ୍ତେ ଭାଙ୍ଗି ପଡ଼ିଥିଲେ । ଏପରି ଏକ ସମୟରେ ପରିବାର ଲୋକଙ୍କୁ ସାହାସ ଦେବା ପରିବର୍ତ୍ତେ ସୁରେନ୍ଦ୍ର ମଧ୍ୟ ଆତ୍ମହତ୍ୟା କରିଦେଲେ । ପୁଅ ଯେଉଁଠି ଯେପରି ଆତ୍ମହତ୍ୟା କରିଥିଲା ବାପା ସୁରେନ୍ଦ୍ର ମଧ୍ୟ ଠିକ୍‌ ସେହି ଢଙ୍ଗରେ ନିଜ ଜୀବନ ଦେଇଦେଲେ । ଘଟଣା ଜଣାପଡ଼ିବା ପରେ ବଲାଙ୍ଗିର ଜିଆପି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । କ’ଣ ପାଇଁ ଉଭୟ ଆତ୍ମହତ୍ୟା କଲେ ସେନେଇ ଖୋଳତାଡ଼ ଜାରି ରହିଛି ।

Get real time updates directly on you device, subscribe now.