fbpx

ବର୍ଡର-ଗାଭାସ୍କର ଟ୍ରଫି: ତିନି ଜଣ ବ୍ୟାଟ୍ସମ୍ୟାନ ଶୂନରେ ଆଉଟ୍, ଅଷ୍ଟ୍ରେଲିଆ ୨୬୩ରେ ଅଲଆଉଟ୍

ନୂଆଦିଲ୍ଲୀ: ପ୍ରଥମ ଟେଷ୍ଟ ମ୍ୟାଚରେ ଏକତରଫା ବିଜୟ ହାସଲ କରିବା ପରେ ଆଜି ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଆଧିପତ୍ୟ ବିସ୍ତାର କରିଛି । ମାତ୍ର ୨୬୩ ରନରେ ଅଷ୍ଟ୍ରେଲିଆ ଅଲଆଉଟ୍ ହୋଇଯାଇଛି । ଚଳିତ ଗାଭାସ୍କର-ବର୍ଡର ଟ୍ରଫି ଆରମ୍ଭରୁ ହିଁ ବିବାଦ ଦେଖିବାକୁ ମିଳିଥିଲା । ପିଚରେ ଛେଡ଼ଛାଡ଼ କରାଯାଇଥିବା ନେଇ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍ ଅଭିଯୋଗ କରିଥିଲା । ଏପରିକି ଅଷ୍ଟ୍ରେଲିଆ ମିଡ଼ିଆରେ ମଧ୍ୟ ଟେଷ୍ଟ ସିରିଜକୁ ନେଇ ଅନେକ ବିବାଦୀୟ ଖବର ପ୍ରସାରଣ କରାଯାଇଥିଲା ।

ତେବେ ଆଜି ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ମାତ୍ର ଭାରତୀୟ ବୋଲରଙ୍କ ଆକ୍ରମଣକୁ ସାମ୍ନା କରିବାରେ ଅକ୍ଷମ ହୋଇପଡ଼ିଥିଲା ଅଧିନାୟକ ପ୍ୟାଟ କୁମିନ୍ସଙ୍କ ବାହିନୀ । ଫଳରେ ଦଳ ୭୮.୪ ଓଭରରେ ମାତ୍ର ୨୬୩ ରନରେ ଆତ୍ମସମର୍ପଣ କରିନେଇଥିଲା । ଭାରତ ପକ୍ଷରୁ ମହମ୍ମଦ ଶାମି ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ଓ ରବିନ୍ଦ୍ର ଜାଡ଼େଜା ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ଉସ୍ମାନ ଖ୍ୱାଜା ସର୍ବାଧିକ ୮୧ ଓ ପିଟର ହାଣ୍ଡସ୍କୋମ୍ବ ୭୨ ରନ୍ ସଂଗ୍ରହ କରି କ୍ରିଜ୍ କିଛି ସମୟ ଲଢ଼େଇ ଜାରି ରଖିଥିଲେ । ଅନ୍ୟସମସ୍ତ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ରହିଥିଲା । ଏପରିକି ଷ୍ଟିଭ ସ୍ମିଥ, ୱିକେଟ କିପର ଆଲେକ୍ସ କ୍ୟାରେ ଓ ଟୋଡ ମର୍ଫି ପ୍ରତ୍ୟେକ ଶୂନ୍ୟରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ଭାରତ ଚଳିତ ସିରିଜରେ ୧-୦ରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ବିଜୟ ହାସଲ କରିବା ନେଇ ଭାରତ ପାଇଁ ଏକ ଭଲ ସୁଯୋଗ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.