fbpx

ଅଷ୍ଟ୍ରେଲିଆ ଗଲା, ଏବେ ଇଂଲଣ୍ଡଠୁ ପ୍ରତିଶୋଧ ନେବ ଟିମ ଇଣ୍ଡିଆ: ସେମି ଫାଇନାଲରେ ହେବ କଡ଼ା ଟକ୍କର

Advertisement

ନୂଆଦିଲ୍ଲୀ: ଟି- ବିଶ୍ୱକପରେ ଅଷ୍ଟ୍ରେଲିଆଠାରୁ ଦିନିକିଆ ବିଶ୍ୱକପ ପରାଜୟର ପ୍ରତିଶୋଧ ନେଇଛି ଟିମ ଇଣ୍ଡିଆ । ଫାଇନାଲ ମ୍ୟାଚରେ ଭାରତକୁ ହରାଇ ସେଦିନ ଅଷ୍ଟ୍ରେଲିଆ ବିଶ୍ୱ ଚମ୍ପିଆନ୍ ହୋଇଥିଲା । ଏଥର ଟି- ବିଶ୍ୱକପ ସୁପର-୮ ମୁକାବିଲାର ‘କର ବା ମର’ ପରିସ୍ଥିତିରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ରୋହିତ ସେନା । ଫଳରେ ଅଷ୍ଟ୍ରେଲିଆକୁ ସେମି ଫାଇନାଲରେ ପ୍ରବେଶ କରିବା ନେଇ ମଧ୍ୟ ଆଶଙ୍କା ରହିଛି । ତେବେ ଅଷ୍ଟ୍ରେଲିଆକୁ ମାତ୍ ଦେବା ପରେ ବର୍ତ୍ତମାନ ରୋହିତଙ୍କ ଟାର୍ଗେଟରେ ରହିଛି ପୂର୍ବ ଚମ୍ପିଆନ୍ ଇଂଲଣ୍ଡ । ୨୦୨୨ ଟି-୨୦ ବିଶ୍ୱକପ ସେମି ଫାଇନାଲର ବଦଲା ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ ।

ଅଷ୍ଟ୍ରେଲିଆକୁ ମାତ୍ ଦେଇ ଗ୍ରୁପ-୧ର ପ୍ରଥମ ଦଳ ଭାବରେ ସେମି ଫାଇନାଲକୁ ପ୍ରବେଶ କରିଛି ଟିମ ଇଣ୍ଡିଆ । ସୁପର-୮ ମୁକାବିଲାରେ ଅଷ୍ଟ୍ରେଲିଆକୁ ମାତ୍ ଦେବା ପରେ ସେମି ଫାଇନାଲରେ ପ୍ରବେଶ କରିବା ଦଳ ପାଇଁ ବର୍ତ୍ତମାନ ଆହୁରି କଷ୍ଟକର ହୋଇ ପଡ଼ିଛି । ଦିନିକିଆ ବିଶ୍ୱକପରେ ମିଳିଥିବା ପରାଜୟର ମଧୁର ପ୍ରତିଶୋଧ ନେଇଛି ରୋହିତ ସେନା । ତେବେ ଅଷ୍ଟ୍ରେଲିଆ ପରେ ଏବେ ଇଂଲଣ୍ଡ ପାଖରୁ ମଧ୍ୟ ପ୍ରତିଶୋଧ ନେବ ଭାରତ । ୨୦୨୨ ଟି-୨୦ ବିଶ୍ୱକପର ସେମି ଫାଇନାଲରେ ଟିମ ଇଣ୍ଡିଆକୁ ମାତ୍ ଦେଇ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲା ଇଂଲଣ୍ଡ । ଇଂଲଣ୍ଡ ପକ୍ଷରୁ ଭାରତ ୧୬୯ ରନର ବିଜୟ ଲକ୍ଷ୍ୟ ଦେଇଥିବା ବେଳେ ମାତ୍ର ୧୬ ଓଭରରେ ଇଂଲଣ୍ଡ ୧୦ ୱିକେଟରେ ଏହି ମ୍ୟାଚ ଜିତିଥିଲା । ଏହି ମ୍ୟାଚରେ ଆଲେକ୍ସ ହେଲ୍ସ ୪୭ ବଲରୁ ୮୬ ଏବଂ ଜୋସ ବଟଲର ୪୯ ବଲରୁ ୮୦ ରନ କରି ବିଜୟୀ ହୋଇଥିଲା । ୨୦୨୨ ବିଶ୍ୱକପରେ ମିଳିଥିବା ସେହି ପରାଜୟର ପ୍ରତିଶୋଧ ନେଇପାରିବ ରୋହିତ ସେନା । ଭାରତ ଏବଂ ଇଂଲଣ୍ଡ ବିପକ୍ଷ ଏହି ସେମି ଫାଇନାଲ ମ୍ୟାଚ ଜୁନ୍ ୨୭ ତାରିଖରେ ଖେଳାଯିବ ।

ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪୧ ବଲରୁ ୭ଟି ଚୌକା ଏବଂ ୮ଟି ଛକା ସହ ୯୨ ରନ୍ କରିଥିଲେ । ଏହାବ୍ୟତୀତ ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର ପାଳି ବଳରେ କଙ୍ଗାରୁ ଟିମକୁ ୨୦୬ ରନର ଲକ୍ଷ୍ୟ ଦେଇଥିଲା ଭାରତ । ତେବେ ବ୍ୟାଟିଂ ପରେ ବୋଲିଂରେ ମଧ୍ୟ ଯାଦୁ ଦେଖାଇଛି ଟିମ ଇଣ୍ଡିଆ । ଅର୍ଶଦୀପ ସିଂହ(୩) ଏବଂ ଜଶପ୍ରୀତ ବୁମରାହ(୨)ଙ୍କ ଦମଦାର ବୋଲିଂ ବଳରେ ଅଷ୍ଟ୍ରେଲିଆ ଏହି ଲକ୍ଷ୍ୟକୁ ହାସଲ କରିବାରେ ପଛରେ ରହିଯାଇଛି । ୨୦ ଓଭରରେ ୭ ୱିକେଟ ହରାଇ ୧୮୧ ରନ୍ କରିବାରେ ସଫଳ ହୋଇଛି ଅଷ୍ଟ୍ରେଲିଆ । କେବଳ ଟ୍ରାଭସ ହେଡ୍(୭୬) ବ୍ୟତୀତ ଅନ୍ୟ କୌଣସି ଖେଳାଳି ଭାରତର ବୋଲିଂ ଆଗରେ ବଡ଼ ପାଳି ଖେଳିପାରି ନଥିଲେ । ଏହି ମ୍ୟାଚକୁ ୨୧ ରନରେ ବିଜୟୀ ହୋଇ ଦିନିକିଆ ବିଶ୍ୱକପ ପରାଜୟର ପ୍ରତିଶୋଧ ନେଇଛି ଟିମ ଇଣ୍ଡିଆ ।

Get real time updates directly on you device, subscribe now.