fbpx

ଆଇସିସି ଟୁର୍ଣ୍ଣାମେଣ୍ଟରେ ପୁଣି ଫେଲ୍ ମାରିଲା ଭାରତ, ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ୨୦୯ ରନ୍‌ରେ ହରାଇଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ପୁଣି ଥରେ ଆଇସିସି ଟୁର୍ଣ୍ଣାମେଣ୍ଟରେ ନିରାଶ ହେଲେ ଭାରତୀୟ ଟିମ୍ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ରେ ଭାରତକୁ ୨୦୯ ରନ୍‌ରେ ହରାଇ ଅଷ୍ଟ୍ରେଲିଆ ବିଜୟ ମୁକୁଟ ହାସଲ କରିଛି । ଏହି ଐତିହାସିକ ମୁକାବିଲାରେ ଭାରତକୁ ଜିତିବା ପାଇଁ ଚତୁର୍ଥ ଇନିଂସରେ ୪୪୪ ରନ୍‌ର ଟାର୍ଗେଟ୍ ମିଳିଥିଲା । କିନ୍ତୁ ଭାରତ ପଞ୍ଚମ ଦିନରେ ୨୩୪ ରନ୍‌ରେ ଅଲଆଉଟ୍ ହୋଇଯାଇଛି । ଅଷ୍ଟ୍ରେଲିଆ ପକ୍ଷରୁ ନାଥାନ୍ ଲିୟନ ୪ ଉଇକେଟ୍ ଏବଂ ସ୍କଟ୍ ବୋଲାଣ୍ଡ ୩ ଉଇକେଟ୍ ହାସଲ କରିଛନ୍ତି । ଏହି ବିଜୟ ସହିତ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ଆଇସିସିର ସମସ୍ତ ପ୍ରକାର ଫର୍ମାଟ୍‌ରେ ଟ୍ରଫି ହାସଲ କରିଛି ।

ଫାଇନାଲ ମ୍ୟାଚ୍‌ର ଚତୁର୍ଥ ଦିନର ଖେଳ ଯେତେବେଳେ ଶେଷ ହୋଇଥିଲା ସେ ସମୟରେ ଭାରତ ୩ ଉଇକେଟ୍ ହରାଇ ୧୬୪ ରନ୍ ସ୍କୋର କରିଥିଲା । କିନ୍ତୁ ପଞ୍ଚମ ଦିନର ପ୍ରଥମ ସେସନ୍‌ରେ ୧୭୯ ରନ୍ ସ୍କୋରରେ ଭାରତକୁ ଦୁଇଟି ଝଟକା ଲାଗିଥିଲା । ଏଥିରେ ବିରାଟ କୋହଲିଙ୍କ ଉଇକେଟ୍ ସାମିଲ ଥିଲା । କୋହଲି ୪୯ ରନ୍ ସ୍କୋର କରି ପ୍ୟାଭିଲିୟନ ଫେରିଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ରବିନ୍ଦ୍ର ଜାଡେଜା ଖାତା ଖୋଲିବା ଆଗରୁ ଆଉଟ୍ ହୋଇଯାଇଥିଲେ । ଏହାପରେ ଆଜାଙ୍କ୍ୟା ରାହାନେ କେଏସ୍‌. ଭରତଙ୍କ ସହିତ ମିଶି ସ୍କୋର ଆଗକୁ ବଢାଇଥିଲେ । ଦୁଇ ଜଣଙ୍କ ମଧ୍ୟରେ ୩୩ ରନ୍‌ର ପାର୍ଟନରସିପ୍ ହୋଇଥିଲା ।

ତେବେ ୨୧୨ ରନ୍‌ରେ ଅଷ୍ଟ୍ରେଲିଆକୁ ରାହାନେଙ୍କ ରୁପରେ ଷଷ୍ଠ ସଫଳତା ମିଳିଥିଲା । ରାହାନେ ୪୬ ରନ୍ ସ୍କୋର କରି ପ୍ୟାଭିଲିୟନକୁ ଫେରି ଯାଇଥିଲେ । ଏହା ସହିତ ଅଷ୍ଟ୍ରେଲିଆ ବିଜୟ ପକ୍କା ହୋଇଯାଇଥିଲା । ନାଥାନ ଲିୟନ ୨୩୪ ସ୍କୋରରେ ମହମ୍ମଦ ସିରାଜଙ୍କୁ ପ୍ୟାଭିଲିୟନ ପଠାଇ ଭାରତର ଦ୍ୱିତୀୟ ଇନିଂସ ଶେଷ କରି ଦେଇଥିଲେ ।

Get real time updates directly on you device, subscribe now.