fbpx

ନ୍ୟୁଜିଲାଣ୍ଡକୁ ଚକମା ଦେବା ପଛରେ ଦ୍ରାବିଡ଼ଙ୍କ ରଣନୀତି: ୫ ୱିକେଟ ନେବା ପଛର କାହାଣୀ କହିଲେ ଅକ୍ଷର

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିବସରେ ସ୍ପିନର ଅକ୍ଷର ପଟେଲଙ୍କ ଯାଦୁ କାମ କରିଛି । ଦ୍ୱିତୀୟ ଦିବସରେ ଦଳ କୌଣସି ୱିକେଟ ନ ହରାଇ ୧୨୯ ରନ ସଂଗ୍ରହ କରିଥିବା ଫଳରେ ତାହା ଭାରତର ଚିନ୍ତା ବଢ଼ାଇ ଦେଇଥିଲା । ତେବେ ଏହି ସମୟରେ ନୂଆ ଦାୟିତ୍ୱ ଗ୍ରହଣ କରିଥିବା କୋଚ ଦାବିଡ଼ ଅକ୍ଷରଙ୍କୁ କିଛିଟା ଟିପ୍ସ ଦେଇଥିଲେ । ଫଳରେ ଅକ୍ଷର ୫ଟି ୱିକେଟ ନେଇ ମ୍ୟାଚର ମୋଡ଼ ପରିବର୍ତ୍ତନ କରି ନିଜ ସପକ୍ଷକୁ ନେଇ ଆସିଛନ୍ତି । ଦ୍ୱିତୀୟ ଦିବସରେ କୌଣସି ୱିକେଟ କିୱିର ଯାଇ ନଥିବା ବେଳେ ତୃତୀୟ ଦିନରେ ସମସ୍ତ ୱିକେଟ ନେବା କମ୍ କଥା ନୁହେଁ । ତେବେ ଏ ସମସ୍ତ ସଫଳତାର ଶ୍ରେୟ ପଛରେ ଦ୍ରାବିଡ଼ଙ୍କ ଗାଇଡ୍ ରହିଥିବା କହିଛନ୍ତି ଅକ୍ଷର ।

ବର୍ତ୍ତମାନ ଭାରତ ୧୪ ରନରେ ଗୋଟିଏ ୱିକେଟ ହରାଇ ୬୩ ରନରେ ଆଗୁଆ ରହିଛି । ଆଜି ଦଳ ଭଲ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡକୁ ଅଧିକ ଲିଡ୍ ଦେବା ପ୍ରୟାସରେ ରହିବ । ଅଧିକ ଲିଡ୍ ଦେଇ ପ୍ରତିପକ୍ଷଙ୍କୁ ଶୀଘ୍ର ଅଲଆଉଟ କରିପାରିଲେ ପ୍ରଥମ ଟେଷ୍ଟରେ ଭାରତ ଜିତି ପାରିବ । ଭାରତ ପ୍ରଥମ ଇନିଂସରେ ୩୪୫ ରନରେ ଅଲଆଉଟ ହୋଇଯାଇଥିଲା । ଏହାପରେ ବିପକ୍ଷ ଦଳର ଓପନର ୱିଲ ୟଙ୍ଗ ୭୫ ଓ ଟମ୍ ଲାଥମ ୫୦ ରନ କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇ ଦେଇଥିଲେ । ଯଦି ତୃତୀୟ ଦିବସରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିନଥାନ୍ତା, ତେବେ ଭାରତ ପାଇଁ ଏହା ଖତରନାକ ସାବ୍ୟସ୍ତ ହୋଇଥାନ୍ତା । ତେବେ ସଠିକ୍ ସମୟରେ ଦ୍ରାବିଡ଼ ଦଳର ବୋଲିଂ ରଣନୀତିରେ ପରିବର୍ତ୍ତନ କରିବା ଯୋଗୁଁ କିୱି ଭୁଶୁଡ଼ି ପଡ଼ିଥିବା ନେଇ ଅକ୍ଷର ଖୁଲାସା କରିଛନ୍ତି ।

Get real time updates directly on you device, subscribe now.