fbpx

ଭକ୍ତଙ୍କ ଅସମ୍ଭବ ଭିଡ ଭିତରେ ବିଶ୍ରାମ ନେଇପାରୁନାହାନ୍ତି ବାଳକ ରାମଲାଲା, ଚିନ୍ତାରେ ମନ୍ଦିର ଟ୍ରଷ୍ଟ

ଅଯୋଧ୍ୟା: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସି ପହଞ୍ଚୁଛନ୍ତି । ଏତେ ସଂଖ୍ୟାରେ ଭକ୍ତଙ୍କୁ ସମ୍ଭାଳିବା ଏବେ ମନ୍ଦିର ଟ୍ରଷ୍ଟ ଲାଗି କାଠିକର ପାଠ ହୋଇଯାଇଛି । ହୋଟେଲ ଠାରୁ ଆରମ୍ଭ କରି ରେଳଷ୍ଟେସନ ଓ ବସ୍‌ଷ୍ଟାଣ୍ଡ ସବୁଠି ଏବେ କେବଳ ରାମଭକ୍ତ ହିଁ ନଜର ଆସୁଛନ୍ତି । ଏପରି ଭିଡରେ ରାମଲାଲାଙ୍କୁ ବି ସମସ୍ୟା ହେବାରେ ଲାଗିଲାଣି । ଏହି ସ୍ଥିତିକୁ ଲକ୍ଷ୍ୟ କରି ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଶେଷ ଆବେଦନ କରାଯାଇଛି ।

ଶ୍ରୀରାମ ଜନ୍ମଭୂମି ନ୍ୟାସର ମହାସଚିବ ଚମ୍ପତ ରାୟଙ୍କ କହିବା ଅନୁସାରେ ଅଯୋଧ୍ୟାରେ ନବ ନିର୍ମିତ ରାମ ମନ୍ଦିରରେ ଜାନୁୟାରୀ ୨୨ରେ ପ୍ରାଣ ପ୍ରତିଷ୍ଠା ପରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି । ଏହାକୁ ଲକ୍ଷ୍ୟ କରି ପ୍ରତିଦିନ ୧୪ ଘଣ୍ଟା ଦର୍ଶନ ବ୍ୟବସ୍ଥା କରାଯାଇଛି । କିନ୍ତୁ ୫ ବର୍ଷର ବାଳକ ରାମଲାଲାଙ୍କୁ ମଝିରେ ମଝିରେ ବିଶ୍ରାମ ନେବାର ବି ଆବଶ୍ୟକତା ରହିଛି । ଚମ୍ପତ ରାୟ କହିଛନ୍ତି ମନ୍ଦିରର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ଓ ଶ୍ରଦ୍ଧାଳୁଙ୍କ ଦର୍ଶନରେ କିପରି କୌଣସି ବାଧା ନ ଉପୁଜିବ ସେଥିପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଉଛି ।

ସେ କହିଛନ୍ତି ଅଯୋଧ୍ୟାକୁ ବହୁ ସଂଖ୍ୟାରେ ଆସୁଥିବା ଶ୍ରଦ୍ଧାଳୁଙ୍କ ଗାଡିର ପାର୍କିଂ ଓ ସେମାନଙ୍କ ରହିବା ପାଇଁ ସୁବ୍ୟବସ୍ଥା କରାଯିବା ବହୁତ ଜରୁରୀ । ମନ୍ଦିରର ବାକି ନିର୍ମାଣ କାର୍ଯ୍ୟ ୨୦୨୫ ସୁଦ୍ଧା ସଂପନ୍ନ ହୋଇଗଲେ ଶ୍ରଦ୍ଧାଳୁଙ୍କ ଆଉ କୌଣସି ସମସ୍ୟା ହେବ ନାହିଁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.