Barabati ODI: ୯ ଶହ ଟଙ୍କିଆ ଟିକେଟ୍ ୩ ହଜାର: OLX, ହ୍ୱାଟ୍ସଆପରେ ଚାଲିଛି ଡିଲ୍

କ୍ୟୁଆର୍ ସ୍କାନ୍ କୋଡ୍ ଦେଖାଇ ଚାଲିଛି ବ୍ଲାକ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ମ୍ୟାଚରେ ଏଭଳି ସ୍ଥିତି ଆଗରୁ କେବେ ଦେଖିବାକୁ ମିଳିନଥୁଲା। ଟିକେଟର ଏତେ ଚାହିଦା ବଢିଯିବ ସେ କଥା କେହି ବି ଆକଳନ କରିନଥିଲେ। ସ୍ଥିତି ଏମିତି ହେଲା ଯେ, ୯ ଶହ ଟଙ୍କିଆ ଗ୍ୟାଲେରୀ ଟିକେଟ୍ ବୁଧବାର ରାତିରେ ୩ ହଜାର ଟଙ୍କାରେ ବିକ୍ରି ହୋଇଛି।

ସେହିପରି ୧୧ ଶହ ଟଙ୍କିଆ ଗ୍ୟାଲେରୀ ଟିକେଟ ମୂଲ୍ୟ ୫ ହଜାର ଯାଏ ଗଲାଣି। ଏଭଳି କଳାବଜାର ଖୋଲାଖୋଲି ଚାଲିଥିଲେ ବି ପୋଲିସ ତରଫରୁ କିଛି ପଦକ୍ଷେପ ନିଆଯାଇନାହିଁ। ଗୁରୁତ୍ଵପୂର୍ଣ୍ଣ ହେଲା, ବୁଧବାର ବାରବାଟୀ ଷ୍ଟାଡିୟମ୍ କାଉଣ୍ଟର ସାମ୍ନାରେ ଟିକେଟ କିଣି କିଛି ଅସାଧୁ ବ୍ୟକ୍ତି ବ୍ଲାକ କରୁଥିବା ଦେଖିବାକୁ ମିଳିଥିଲା।

ତେବେ ପୋଲିସ ଭିଡ଼ ନିୟନ୍ତ୍ରଣରେ ନାକେଦମ୍ ହୋଇଥିବା ବେଳେ କଳାବଜାର ରୋକିବାକୁ ବିଫଳ ହୋଇଥିଲା। ଅନ୍ୟପକ୍ଷରେ ଯେଉଁମାନେ ଅନ୍‌ଲାଇନ୍‌ରେ ଟିକେଟ ବୁକିଂ କରିଛନ୍ତି ସେମାନଙ୍କ ମୋବାଇଲ୍‌କୁ ଏକ କ୍ୟୁଆର୍ ସ୍କାନ୍ କୋଡ୍ ଆସିଛି, ଯାହା ନିଶ୍ଚିତ କରୁଛି କି ତାଙ୍କ ନାଁରେ ଟିକଟ ବୁକ୍ ହୋଇଛି।

ସେମାନେ ଏହି ସ୍କାନ୍ କୋଡ୍‌କୁ ଦେଖାଇ ଅନେକ ଟିକେଟ ମୂଲ୍ୟ ହାଙ୍କୁଥିବାର ଦେଖିବାକୁ ମିଳିଛି। କେବଳ ଗ୍ୟାଲେରୀ ନୁହେଁ, ୩ ହଜାର ଟଙ୍କିଆ ସ୍ପେଶାଲ୍ ଏନ୍‌କ୍ଲୋଜର୍‌ ୭ ହଜାର ଟଙ୍କା, ୧୦ ହଜାର ଟଙ୍କିଆ ପ୍ୟାଭିଲିୟନ୍ ଟିକେଟ୍ ୧୫ ହଜାର ଟଙ୍କା, ୨୦ ହଜାର ଟଙ୍କିଆ କର୍ପୋରେଟ ବକ୍ସ ଟିକେଟ୍ ୩୦ ହଜାରରେ କଳାବଜାର ହେଉଥିବାର ନଜର ଆସିଛି।