ଅନ୍ଧୁଣୀ ମା’ କୋଳରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର

ଭୁବନେଶ୍ୱରରୁ ଅନ୍ଧୁଣୀ ମା' କୋଳରୁ ଛୁଆକୁ ଚୋରି କରି ବାଲେଶ୍ୱର ପଳାଇଯାଇଥିଲା ଛୁଆ ଚୋର।

ଭୁବନେଶ୍ୱର: ୨ ଦିନ ପରେ ଉଦ୍ଧାର ହେଲା ଚୋରି ଶିଶୁପୁତ୍ର। ଭୁବନେଶ୍ୱରରୁ ରାମ ମନ୍ଦିର ନିକଟରୁ ଅନ୍ଧୁଣୀ ମା’ କୋଳରୁ ବିଳମ୍ୱିତ ରାତିରେ ଚୋରି ହୋଇଥିଲା ଦେଢ଼ ବର୍ଷର ଶିଶୁପୁତ୍ର। ପୋଲିସକୁ ମିଳିଲା ବଡ଼ ସଫଳତା। ପିଲା ସହ ପିଲାଚୋରକୁ ବାଲେଶ୍ୱରରୁ ଧରିଲା ପୋଲିସ।

ଉଦ୍ଧାର କରିବା ପରେ ଶିଶୁପୁତ୍ରକୁ ଭୁବନେଶ୍ୱର ଆଣୁଛି ସ୍ପେଶାଲ ଟିମ୍। ଶନିବାର ଦିନ ରାତି ପ୍ରାୟ ୩ ଟା ସମୟରେ ରାମ ମନ୍ଦିର ସମ୍ମୁଖରୁ ଚୋରି ହୋଇଥିଲା ଦେଢ଼ ବର୍ଷର ଶିଶୁପୁତ୍ର। କିଛି ସମୟ ପୂର୍ବରୁ ଚୋରର ସିସିଟିଭି ଫୁଟେଡ ସାମ୍ନାକୁ ଆସିଥିଲା।

କିପରି ପିଲାକୁ କୋଳରେ ଉଠାଇ ପିଲା ଚୋରଟି ଶୁଶୁଟିକୁ ନେଇଯାଉଛି ତାହା ସ୍ପଷ୍ଟ ଦେଖାଯାଉଥିଲା। ଆଉ ଅନେକ ଚେଷ୍ଟା ପରେ ଏବେ ପୋଲିସକୁ ସଫଳତା ମିଳିଲା। ବାଲେଶ୍ୱରର ଖନ୍ତାପଡ଼ା ଥାନା ବୋଇତା ଗାଁରୁ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କଲା ପୋଲିସ।

ସୂଚନାନୁସାରେ, ଗତ ଶନିବାର ଦିନ ରାମ ମନ୍ଦିର ସାମ୍ନାରୁ ଜଣେ ଅନ୍ଧୁଣୀ ମା’ କୋଳରୁ ତାର ଦେଢ଼ ବର୍ଷର ଶିଶୁପୁତ୍ରକୁ ଥଣ୍ଡା ପିଇବାକୁ ଦେଇ ଏବଂ ମୋବାଇଲ ଦେଖାଇବା ବାହାନାରେ ଛୁଆଟିକୁ ଚୋରି କରିନେଇଥିଲା।

ପରେ ଅନ୍ଧୁଣୀ ମା’ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏବଂ ତାର କଅଁଳା ଶିଶୁକୁ ଫେରାଇ ଦେବାକୁ କାକୁତି ମିନତି ହୋଇଥିଲେ। ଆଉ ଶେଷରେ ଭଗବାନ ତାଙ୍କ ଡ଼ାକ ଶୁଣିଲେ। ପିଲାଟିକୁ ସୁରକ୍ଷିତ ଭାବରେ ପାଇଲା ପୋଲିସ।