ପଶୁ ହେଲେ ବି ଜାଣିଛି ସାହାର୍ଯ୍ୟର ଅର୍ଥ କ’ଣ, କାଦୁଅ ଗାତରୁ ଉଦ୍ଧାର ହେବା ପରେ ଧନ୍ୟବାଦ ଜଣାଇଲା ହାତୀ ଛୁଆ

ଗାତରୁ ହାତୀ ଛୁଆ ଉଦ୍ଧାର ପରେ ଜଣାଇଲା ଧନ୍ୟବାଦ।

ଛତିଶଗଡ଼:  ପଶୁ ହେଲେବି ସେ ଜାଣିଛି ସାହାର୍ଯ୍ୟର ମୂଲ୍ୟ କ’ଣ। ସେଥିପାଇଁ ତ ନିଜେ ବିପଦରୁ ଉଦ୍ଧାର ପାଇବା ପରେ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଛି ହାତୀ ଛୁଆ। କଥାଟି ଆପଣଙ୍କୁ ଗପ ଭଳି ଲାଗୁଥିଲେ ବି ଏହା ସତ।

ଏପରି ଏକ ହୃଦୟସ୍ପର୍ଶୀ ଘଟଣାର ଭିଡ଼ିଓ ମଧ୍ୟ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି। ଦୃଶ୍ୟଟି ହେଉଛି ଛତିଶଗଡ଼ର। ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ବନ ବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ଗ୍ରାମବାସୀମାନେ ଚିଲକାଗୁଡ଼ା ଗାଁ ନିକଟରେ ଏକ କାଦୁଅ ଗାତରେ ପଡ଼ିଯାଇଥିବା ଏକ ହାତୀ ଛୁଆକୁ ଉଦ୍ଧାର କରିଛନ୍ତି।

ଲାଇଲୁଙ୍ଗା ଏବଂ ଘରଘୋଡ଼ା ଜଙ୍ଗଲ ରେଞ୍ଜରେ ବୁଲୁଥିବା ଏକ ବଡ଼ ହାତୀର ଛୁଆଟି ସେହି ଅଞ୍ଚଳରେ ପାଣି ପିଇବା ଏବଂ ଗାଧୋଇବା ସମୟରେ ଗାତ ଭିତରେ ଫସି ଯାଇଥିଲା। ଛୁଆ ହାତୀଟି ବାହରକୁ ବାହାରିବା ପାଇଁ ଅନେକ ସଂଘର୍ଷ କରିଥିଲା। ହେଲେ ବାହାରକୁ ବାହାରି ପାରିନଥିଲା।

ପରେ ହାତୀ ଛୁଆର କଷ୍ଟ ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ହେଲେ ବନ ବିଭାଗ ପହଞ୍ଚିବାରେ ବିଳମ୍ୱ ହେବାରୁ ଗାଁ ଲୋକମାନେ ଆଉ ଡେରି ନକରି ନିଜେ ଏକ ଜେସିବି ଡାକି ଉଦ୍ଧାର କାର୍ଯ୍ୟ ଆରମ୍ଭ କଲେ।

ଏହାସହ କୋଦାଳରେ ତାଡ଼ି ଏକ ରାସ୍ତା ତିଆରି କଲେ। ଫଳରେ ହାତୀ ଛୁଆଟି କାଦୁଆ ଗାତରୁ ବାହାରକୁ ଆସିପାରିଲା। ଆଉ ସବୁଠାରୁ ଆଶ୍ଚର୍ଯ୍ୟକର କଥା ଏହା କି, ସେ ବି ପଶୁ ହୋଇ ମଧ୍ୟ ତାକୁ ସାହାର୍ଯ୍ୟର ହାତ ବଢ଼ାଇଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଥିଲା।

ଗାତ ଭିତରୁ ବାହାରକୁ ବାହାରିବା ପରେ JCB ମେସିନ୍ ପାଖକୁ ଯାଇ ନିଜ ଶୁଣ୍ଢରେ ଗେଲ କରିବାକୁ ଲାଗିଲା। ଏପରିକି ମେସିନକୁ କୁଣ୍ଢାଇବାକୁ ଚେଷ୍ଟା କଲା। ପରେ ଧନ୍ୟବାଦ ଜଣାଇ ଜଙ୍ଗଲ ଭିତରକୁ ଚାଲିଗଲା।