fbpx

‘ଆମକୁ ବଞ୍ଚାଅ…. ଆମକୁ ବଞ୍ଚାଅ’: ବିଗିଡ଼ି ଯାଉଛି ମାନସିକ ସ୍ଥିତି, ଆହତଙ୍କ ଦୁଃଖ ଦେଖିଲେ ଛାତି ଫାଟି ଯାଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖରେ ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀଙ୍କର ଜୀବନ ଯାଇଥିବା ବେଳେ ୧ ହଜାର ଯାତ୍ରୀ ଆହତ ହୋଇଥିଲେ । ତେବେ ଏହା ମଧ୍ୟରେ ମୃତକ ଓ ଆହତଙ୍କୁ ମିଶାଇ ୬୬୧ ଜଣଙ୍କୁ କ୍ଷତିପୂରଣ ପ୍ରଦାନ କରାସରିଛି । ବିଭିନ୍ନ ରାଜ୍ୟରୁ ସମ୍ପର୍କୀୟମାନେ ମୃତକଙ୍କ ଶବ ଚିହ୍ନଟ ପାଇଁ ଓଡ଼ିଶା ଆସୁଛନ୍ତି । ଏହା ମଧ୍ୟରେ ଆହୁରି ଅନେକ ଶବ ଚିହ୍ନଟ ହୋଇ ପାରିନାହିଁ ।

ଅନ୍ୟପକ୍ଷରେ ଆହତଙ୍କ ଦୁଃଖ କହିଲେ ନସରେ । ୪୦ରୁ ଅଧିକ ଯାତ୍ରୀ ଏବେ ଟ୍ରମାରେ ରହି ‘ଆମକୁ ବଞ୍ଚାଅ… ଆମକୁ ବଞ୍ଚାଅ’ କହି ଚିତ୍କାର କରୁଛନ୍ତି । କରମଣ୍ଡଳର ସେହି ଛାତିଥରା କାହାଣୀକୁ ଏହି ଯାତ୍ରୀମାନେ ନିଜ ଆଖି ଆଗରେ ଦେଖିଥିଲେ । ତାଙ୍କ ଆଖି ଆଗରେ କେତେ ଯେ ଯାତ୍ରୀ ପ୍ରାଣ ହରାଇଥିବେ ତାହା କହିହେବ ନାହିଁ । ଅନେକ ଯାତ୍ରୀ ଅନେକ କଥା ଭୁଲି ଯାଉଥିବା ଦେଖାଯାଉଛି । ଏହି ରୋଗୀଙ୍କ ମାନସିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ମାନସିକ ବିଭାଗ ପକ୍ଷରୁ ସେମାନଙ୍କୁ କାଉନସେଲିଂ କରାଯାଉଛି ।

ମନସ୍ତତ୍ତ୍ୱବିତ ଓ ସାମାଜିକ କର୍ମୀମାନେ ପ୍ରତିଦିନ କାଉନସେଲିଂ କରୁଛନ୍ତି । କଟକ ବଡ଼ ଡାକ୍ତରଖାନାରେ ଏବେ ୧୦୫ ଜଣ ଆହତ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣ ଆଇସିୟୁରେ ରହିଛନ୍ତି । ଏଥିସହିତ ୩ ଜଣଙ୍କର ଗୋଡ଼ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ଅନେକ ଯାତ୍ରୀଙ୍କର ଦୁଇଟି ଯାକ ଗୋଡ଼ ଭାଙ୍ଗି ଯାଇଛି । କିଛି ଯାତ୍ରୀଙ୍କର ମେରୁଦଣ୍ଡ ମଧ୍ୟ ଭାଙ୍ଗି ଯାଇଛି । ଯେଉଁମାନେ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ଠାରୁ ଆହତଙ୍କ ଅବସ୍ଥା ଅଧିକ ଦୟନୀୟ ହୋଇଯାଇଛି । କେବେ ସେମାନେ ସୁସ୍ଥ ଲାଭ କରିବେ ଆଉ ଜୀବନରେ କେମିତି ଆଗକୁ ବଢ଼ିବେ ତାହା ଏବେ ବଡ଼ ଚିନ୍ତାର କାରଣ । ମୃତକଙ୍କ ଅପେକ୍ଷା ଆହତଙ୍କୁ ଏହି ଏହି ଦୁର୍ଘଟଣା ଅଧିକ ଦୁଃଖ ଦେଉଛି ।

Get real time updates directly on you device, subscribe now.