ଓଡିଶା ଭାସ୍କର: ଚୁଟି ଝଡ଼ିବା ଏବେ ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ। ଗୋଟିଏ ଦିନରେ ଅତି କମରେ ୧୦୦ରୁ ଅଧିକ ଚୁଟି ଝଡିବା ନିଶ୍ଚିତ। କଣ ଆପଣ ଚାଁହୁଛନ୍ତି କି ଆପଣଙ୍କ ଚୁଟି ନ ଝଡୁ ବୋଲି? ତେବେ ଚୁଟିରେ ତେଲ ଲଗାଇବା ସହିତ କିଛି କଥା ମାନିବାକୁ ପଡିବ। ଏହା ଝଡିବାର କାରଣ ହେଉଛି ଶରୀରରେ ପୁଷ୍ଟିସାରର ଅଭାବ ଏବଂ ଚୁଟିର ଉପଯୁକ୍ତ ଯତ୍ନ ନ ନେବା। ଚାପ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଜେନେଟିକ୍ସ, ପରିବେଶ ମଧ୍ୟ ଏହାର କାରଣ ହୋଇପାରେ।
ଗୋଟିଏ କଥା ମନେରଖନ୍ତୁ ଯେ ତେଲ ହେଉଛି ଚୁଟିର ଖାଦ୍ୟ। ଏହା ଚୁଟି ଏବଂ ମୁଣ୍ଡକୁ ପୋଷଣ ପ୍ରଦାନ କରେ। କିନ୍ତୁ ଅନେକ ଲୋକ ମାସ ମାସ ଧରି ଚୁଟିରେ ତେଲ ଲଗାନ୍ତି ନାହିଁ। ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଚୁଟି କମ୍ ଝଡୁ କିମ୍ବା ଆଦୌ ନ ଝଡୁ, ତେବେ ନିୟମିତ ତେଲ ଲଗାନ୍ତୁ।
ଆପଣଙ୍କ ଚୁଟିର ଉପଯୁକ୍ତ ଯତ୍ନ ନେବା ପାଇଁ, ଆପଣଙ୍କୁ ସଠିକ୍ ତେଲ ବାଛିବାକୁ ପଡିବ। ଯେପରିକି ନଡ଼ିଆ ତେଲ, ବାଦାମ ତେଲ, ଜଡା ତେଲ, ଆର୍ଗନ ତେଲ, ଅଁଳା ତେଲ ଚୁଟି ପାଇଁ ସର୍ବୋତ୍ତମ। ଏଗୁଡ଼ିକ ଭିଟାମିନ୍ ଇ, ଡି, ସି ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର, ଯାହା ଚୁଟି ବୃଦ୍ଧିରେ ସାହାଯ୍ୟ କରେ। ଚୁଟିକୁ ପୋଷଣ ଦିଏ, ଆର୍ଦ୍ରତା ପ୍ରଦାନ କରେ ଏବଂ ଚମକ ଆଣେ।
ଏହି ତେଲକୁ ପ୍ରଥମେ ଏକ ପାତ୍ରରେ ନେଇ୧୫-୨୦ ସେକେଣ୍ଡ ପାଇଁ ଗରମ କରି ଲଗାଇବା ଉଚିତ। ଉଷୁମ ତେଲ ଲଗାଇବା ଦ୍ୱାରା ଏହା ମୁଣ୍ଡ ଏବଂ ଚୁଟିରେ ଭଲ ଭାବରେ ଶୋଷିତ ହୁଏ।
କିଛି ଲୋକ ଚୁଟିରେ ତେଲ ଲଗାଇ ରାତିସାରା ଛାଡି ଦିଅନ୍ତି। ଏହା କରାଯିବା ଉଚିତ ନୁହେଁ। କେବଳ ଦୁଇ ଘଣ୍ଟା ପାଇଁ ଚୁଟିରେ ତେଲ ଲଗାଇ ରଖିବା ଯଥେଷ୍ଟ। ଯେଉଁ ଜାଗାରେ ଚୁଟି ଝଡୁଛି ସେଠାରେ ଅଧିକ ତେଲ ଲଗାଇ ମାଲିସ କରିବା ଦରକାର।ଏହା ରକ୍ତ ସଞ୍ଚାଳନ ବୃଦ୍ଧି କରେ। ଚୁଟି ଫଲିକିଲ୍ସକୁ ଷ୍ଟିମୁଲେଟ୍ କରେ। ଫଳରେ ଚୁଟିର ବିକାଶ ହୁଏ।
ଯଦିଓ ଚୁଟିରେ ତେଲ ଲଗାଇବା ୧-୨ ଘଣ୍ଟା ଯଥେଷ୍ଟ, କିନ୍ତୁ ଯଦି ଆପଣ ତେଲକୁ ରାତିସାରା ଲଗାଇ ରଖିବାକୁ ଚାହାଁନ୍ତି, ତେବେ ଚୁଟିକୁ ସାୱାର କ୍ୟାପ୍ରେ ଘୋଡ଼ାନ୍ତୁ। ଏହା ତେଲକୁ ତକିଆରେ ଲାଗିବାକୁ ଦେବ ନାହିଁ। ହାଲୁକା ହର୍ବାଲ ସାମ୍ପୁ ସାହାଯ୍ୟରେ ଆପଣଙ୍କ ଚୁଟି ସଫା କରନ୍ତୁ। ସାମ୍ପୁକୁ ଭଲ ଭାବେ ଛଡ଼ାଇ ନେବା ପାଇଁ ଚୁଟିକୁ ଦୁଇରୁ ତିନିଥର ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ। ଉଷୁମ ପାଣିରେ ମଧ୍ୟ ଚୁଟି ଧୋଇ ପାରିବେ। କେବଳ ସଲ୍ଫେଟ୍ ମୁକ୍ତ ଏବଂ ହର୍ବାଲ ସାମ୍ପୁ ବ୍ୟବହାର କରନ୍ତୁ।