ବାଲେଶ୍ଵର: ବାଲେଶ୍ବର ଜିଲା ରେମୁଣା ତହସିଲ ଅଞ୍ଚଳରେ ହେବ ନୋଟ ଛାପା କାଗଜ ପ୍ରସ୍ତୁତି କାରଖାନା। ଏଥିଲାଗି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ର ତିନିଜଣିଆ ଅଧିକାରୀ ମଙ୍ଗଳବାର ଜମି ସର୍ବେକ୍ଷଣ ଲାଗି ବାଲେଶ୍ୱରରେ ପହଞ୍ଚିଛନ୍ତି। ସେମାନେ ପ୍ରଥମେ ଜିଲାପାଳ ଦତ୍ତାତ୍ରେୟ ଭାରସାହେବ ଶିନ୍ଦେଙ୍କ ଅଫିସରେ ପହଞ୍ଚି ସେଠାରେ କିଛି ସମୟ ଆଲୋଚନା କରିଥିଲେ। ପରେ ଜମି ସର୍ବେକ୍ଷଣ ପାଇଁ ପଦାବଡ଼ଗାଁ ଅଞ୍ଚଳକୁ ଯାଇଥିଲେ। ତାଙ୍କ ସହ ରେମୁଣା ତହସିଲଦାର ଛବିରାଣୀ, ବାଲେଶ୍ଵର ଓ ଭୁବନେଶ୍ବରର ଇଡ୍କୋ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଅଧିକାରୀମାନେ ରେମୁଣା ବ୍ଳକ ପଦାବଡ଼ଗଠାରେ ଥିବା ସରକାରୀ ଜମିକୁ ଚିହ୍ନଟ କରିବା ସହିତ ଯୋଗାଯୋଗ ସୁବିଧାକୁ ଯାଞ୍ଚ କରିଥିଲେ।
ଡିଷ୍ଟ୍ରିକ୍ଟ ଇନଭେଷ୍ଟମେଣ୍ଟ ପ୍ରମୋଶନ ଅଥରିଟି (ଡିଆଇପିଏ) ତରଫରୁ ଆରମ୍ଭ କରାଯାଇଥିବା ଏହି ପ୍ରକଳ୍ପ ଲାଗି ଜମି ଚିହ୍ନଟ କରାଯାଇଥିବା ସୂଚନା ମିଳିଛି। ଆର୍ବିଆଇର ପ୍ରତିନିଧି ଦଳ ଜିଲା ପ୍ରଶାସନ ସହିତ ରେମୁଣା ବାଉଁଶମୁହାଁ ଏବଂ ନରହରିପୁର ଆଦି ସ୍ଥାନ ବୁଲି ଦେଖିଥିଲେ। ଏହି ପ୍ରକଳ୍ପ ପାଇଁ ଦୁଇଟି ସ୍ଥାନର ପ୍ରାୟ ଶହେ ଏକର ଜମି ଆବଶ୍ୟକ ରହିଛି। ପ୍ରତିନିଧି ଦଳ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବା ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ।
ଗତ ଏପ୍ରିଲରେ ଆର୍ବିଆଇର ୩ଜଣିଆ ଟିମ୍ ଇଡ୍କୋ ଏବଂ ଜିଲା ପ୍ରଶାସନ ସହଯୋଗରେ ରେମୁଣା ବ୍ଲକ ଅଧୀନ ପଦାବଡ଼ଗାଁ, ବାଉଁଶମୁହାଁ ଏବଂ ନରହରିପୁର ଅଞ୍ଚଳରେ ଥିବା ସରକାରୀ ଜମିକୁ ବୁଲି ଦେଖିଥିଲେ। ଏନେଇ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ କହନ୍ତି , ଜିଲାରେ ଶିଳ୍ପ ପ୍ରତିଷ୍ଠା ନେଇ ବାଟ ଖୋଲିବାକୁ ଇଡ୍କୋର ଟିମ୍ ସହିତ ଜିଲା ପ୍ରଶାସନ ସରକାରୀ ଜମି ଚିହ୍ନଟ ଏବଂ ଜିଲାରେ ଏକ ଲ୍ୟାଣ୍ଡ୍ ବ୍ୟାଙ୍କ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରୁଛି। ଚଷାଖଣ୍ଡ ପଞ୍ଚାୟତ ସରପଞ୍ଚ କେଦାର ସାହୁ କହନ୍ତି, ଏହି ଅଞ୍ଚଳରେ ଶିଳ୍ପନୁଷ୍ଠାନ ହେଲେ କେବଳ ରେମୁଣା ନୁହେଁ, ସମଗ୍ର ଜିଲାର ବିକାଶ ହେବ। ନୋଟ୍ ଛାପା କାଗଜ କାରଖାନା ହେଲେ ଉକ୍ତ ସ୍ଥାନକୁ ଗମନାଗମନ ବ୍ୟବସ୍ଥା, ମାର୍କେଟ୍, ବିଦ୍ୟୁତ୍ ସୁବିଧା ଭଳି କ୍ଷେତ୍ରରେ ଉନ୍ନତି ଘଟିବ।