fbpx

କାଉଡ଼ି ଯାତ୍ରାରେ DJ ଉପରେ ବ୍ୟାନ୍: ଏହିସବୁ ଜିନିଷ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ଓଡ଼ିଶା ଭାସ୍କର: ବର୍ତ୍ତମାନ ଶ୍ରାବଣ ମାସ ପାଇଁ ପ୍ରତ୍ୟେକ ଶିବ ମନ୍ଦିରରେ ଲାଗିଛି କାଉଡ଼ିଆଙ୍କ ଭିଡ଼ । ବାବା ଭୋଳାନାଥଙ୍କୁ ଜଳାଭିଷେକ କରିବା ପାଇଁ ଧାଇଁ ଆସୁଛନ୍ତି ଶ୍ରଦ୍ଧାଳୁ । ଅନେକ ବାଧାବିଘ୍ନକୁ ପଛରେ ପକାଇ ମହାଦେବଙ୍କୁ ଜଳ ଅର୍ପଣ କରିବାକୁ ଆସୁଛନ୍ତି ବୋଲବମ୍ ଯାତ୍ରୀ । କିନ୍ତୁ ଏବେ ଏହି କାଉଡ଼ିଆଙ୍କ ପାଇଁ କଟକଣା ଲଗାଇଛନ୍ତି ସରକାର । ବୋଲବମ୍ ଯାତ୍ରା କରିବା ସମୟରେ କିଛି ଜିନିଷ ନେବା ଉପରେ ସରକାର କଟକଣା ଲାଗୁ କରିଛନ୍ତି । ତେବେ ସରକାରଙ୍କ ଏହି ଗାଇଡଲାଇନକୁ ବଜରଙ୍ଗ ଦଳ କଡ଼ା ବିରୋଧ କରୁଥିବା ମଧ୍ୟ ଦେଖାଯାଇଛି ।

ସୂଚନା ଅନୁସାରେ, ରାଜସ୍ଥାନ ସରକାରଙ୍କ ଗୃହ ବିଭାଗ କାଉଡ଼ି ଯାତ୍ରା ପାଇଁ କଟକଣା ଲାଗୁ କରିଛନ୍ତି । କାଉଡ଼ିଆଙ୍କୁ ବୋଲବମ୍ ଯାତ୍ରା ବେଳେ ଲାଉଡ ସ୍ପିକର ନେବା ପାଇଁ ବାରଣ କରାଯାଇଛି । ରାଜସ୍ଥାନ ସୀମାରେ ପ୍ରବେଶ କରିବା ମାତ୍ରେ ଲାଉଡସ୍ପିକର ବା ଡିଜେ ବଜାଇପାରିବେ ନାହିଁ କାଉଡ଼ିଆ । ଧୋଲପୁର ଜିଲ୍ଲାର ଡିଏମ ଶ୍ରୀନିଧି ବିଟି କହିଛନ୍ତି ଯେ, ସରକାରଙ୍କ ଗୃହ ବିଭାଗ ତରଫରୁ ଏହି ଗାଇଡଲାଇନରେ କାଉଡ଼ିଆମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତରାଖଣ୍ଡ ବା ହରିଦ୍ୱାରରୁ ଆସୁଥିବା କାଉଡ଼ିଆ ରାଜସ୍ଥାନ ସୀମାରେ ଫୁଟପାଥରେ ଯାତାୟତ କରନ୍ତୁ । କାଉଡ଼ିଆ ନିଜ ପରିଚୟ ପତ୍ର, ଆଧାର କାର୍ଡ ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସ ଇତ୍ୟାଦି ନିଜ ସହିତ ପାଖରେ ରଖିବା ଉଚିତ୍ । ଏହାବ୍ୟତୀତ ନିଜ ଯାନବାହନ ନିର୍ଦ୍ଧାରିତ ପାର୍କିଙ୍ଗରେ ହିଁ ପାର୍କ କରନ୍ତୁ, ଅନ୍ୟଥା ଏମ.ଭି ଆକ୍ଟ ଅନୁସାରେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହାବ୍ୟତୀତ କାଉଡ଼ି ଯାତ୍ରୀ ଉପଦ୍ରବ ତତ୍ତ୍ୱ ଇତ୍ୟାଦିରୁ ସାବଦାନ ରହିବା ପାଇଁ କୁହାଯାଇଛି । ବାହନରେ ଥିବା କାଉଡ଼ିଆଙ୍କ ସୂଚୀ ଏବଂ ବିବରଣୀ ନିଜ ଗାଡ଼ିରେ ନିଶ୍ଚୟ ଲଗାନ୍ତୁ । ନିର୍ଦ୍ଧାରିତ ଘାଟରେ ହିଁ ସ୍ନାନ କରନ୍ତୁ । ଅନ୍ୟତ୍ର ସ୍ନାନ କରିବା ଦ୍ୱାରା ଦୁର୍ଘଟଣା ହେବାର ସମ୍ଭାବନା ରହିଛି । କାଉଡ଼ି ଯାତ୍ରା ସମୟରେ ହକି ଷ୍ଟିକ, ଖଣ୍ଡା, ଧାରୁଆ ଅସ୍ତ୍ର, ଠେଙ୍ଗା କିମ୍ବା ବାଡ଼ି ଇତ୍ୟାଦି ନେଇ ରାଜସ୍ଥାନ ସୀମାକୁ ନ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଯାତ୍ରା ସମୟରେ ନିଶଦ୍ରବ୍ୟ ସେବନକୁ ମଧ୍ୟ ବାରଣ କରାଯାଇଛି ।

ସେହିପରି କାଉଡ଼ିର ଉଚ୍ଚତା ୭ ଫୁଟରୁ ଅଧିକ ହୋଇପାରିବ ନାହିଁ । ଟ୍ରେନ କିମ୍ବା ଅନ୍ୟ କୌଣସି ଯାନବାହନ ଉପରେ ବସି ଯାତ୍ରା କରନ୍ତୁ ନାହିଁ । ଯାତ୍ରା ସମୟରେ ବାଇକରୁ ସାଇଲେନ୍ସର ହଟାଇ ଗାଡ଼ି ଚଳାନ୍ତୁ ନାହିଁ । ପୋଲ ଉପରୁ ଡେଇଁ ସ୍ନାନ କରନ୍ତୁ ନାହିଁ । କୌଣସି ପ୍ରକାର ଗୁଜବ ଉପରେ ଧ୍ୟାନ ନ ଦେବା ସହ ଏହାକୁ ସେୟାର ନ କରିବା ପାଇଁ କୁହାଯାଇଛି । ଏହାବ୍ୟତୀତ କୌଣସି ପ୍ଲାଷ୍ଟିକ ତଥା ପ୍ଲାଷ୍ଟିକରୁ ପ୍ରସ୍ତୁତ ବସ୍ତୁ ବ୍ୟବହାର ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନ ସରକାରଙ୍କ ଗୃହ ବିଭାଗ । ତେବେ ସରକାରଙ୍କ ଏହି ନିୟମକୁ ବିରୋଧ କରିଛି ବଜରଙ୍ଗ ଦଳ ।

Get real time updates directly on you device, subscribe now.