fbpx

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,(ଭାସ୍କର ନ୍ୟୁଜ୍) : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ବନକଲାଗି ସେବା କରିବେ । ଠାକୁରଙ୍କ ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ହେବ । ଏଣୁ ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହୋଇଥାଏ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯାଏ । ଏହାପରେ ଠାକୁରଙ୍କ ମହାସ୍ନାନ ବଢ଼ି ଯଥାବିଧି ନୀତି ଚାଲିବ ।

ସେହିପରି ୨୭ ତାରିଖ (ଭାଦ୍ରବ କୃଷ୍ଣ ପଞ୍ଚମୀ) ଶୁକ୍ରବାର ରେଖାପଞ୍ଚମୀ ଅବସରରେ ମହାପ୍ରଭୁଙ୍କ ସୁବର୍ଣ୍ଣ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଭୋଗମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ ହେବ । ଏଣୁ ସେଦିନ ଅପରାହ୍ନ ୨ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି।

Get real time updates directly on you device, subscribe now.