ଭୁବନେଶ୍ବର: ଆଜି ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଏହି ନୀତି କରିବେ । ତେବେ ମହାବାହୁଙ୍କ ଏହି ନୀତି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ ।
ଅପରାହ୍ନ 5ଟାରୁ ରାତି 10ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବା ନେଇ କୁହାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଦ୍ବିତୀୟ ଭୋଗମଣ୍ଡପ ନୀତି ସରିଲା ପରେ ମହାପ୍ରଭୁଙ୍କର ବନକଲଲାଗି ନୀତି ଅନୁଷ୍ଠିତ ହେବ । ଏହା ଶେଷ ହେବା ପରେ ଅର୍ଥାତ୍ ରାତି 10ଟା ପରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ ।
ଏହି ବନକ ଲାଗି ନୀତିରେ ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହାର କରାଯାଇଥାଏ । ଏଥିରେ କୌଣସି ବଜାରର ରଙ୍ଗ ବ୍ୟବହାର କରାଯାଏ ନାହିଁ ।
ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ ।