fbpx

ଟେଷ୍ଟ ଇତିହାସରେ ପ୍ରଥମ ଘଟଣା: ପାକିସ୍ତାନ ମାଟିରେ ପ୍ରଥମ ଥର ଟେଷ୍ଟ ମ୍ୟାଚ ଜିତିଲା ବାଂଲାଦେଶ

ନୂଆଦିଲ୍ଲୀ: ପାକିସ୍ତାନକୁ ତା’ ମାଟିରେ ୧୦ ୱିକେଟରେ ହରାଇ ଟେଷ୍ଟ ଇତିହାସରେ ଇତିହାସ ରଚିଛି ବାଂଲାଦେଶ । ପାକିସ୍ତାନ ପ୍ରଥମ ପାଳିରେ ୬ ୱିକେଟ ହରାଇ ୪୪୮ ରନ୍ ସଂଗ୍ରହ କରିଥିବା ବେଳେ ବାଂଲାଦେଶ ୫୬୫ ରନ୍ ସଂଗ୍ରହ କରିଥିଲା । ଏହାଫଳରେ ପ୍ରଥମ ଇନିଂସରେ ବାଂଲାଦେଶ ୧୧୭ ରନରେ ଆଗୁଆ ରହିଥିଲା । ଏହାପରେ ପାକିସ୍ତାନ ଦ୍ୱିତୀୟ ଇନିଂସରେ ମାତ୍ର ୧୪୬ ରନରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ବାଂଲାଦେଶ ଆଗରେ ୩୦ ରନର ଟାର୍ଗେଟ ରହିଥିଲା । ଏହି ମ୍ୟାଚରେ ପାକିସ୍ତାନ ନିଜ ମାଟିରେ ଲଜ୍ଜାଜନକ ଭାବେ ପରାଜୟ ବରଣ କରିଥିବା ବେଳେ ଅନ୍ୟପଟେ ବାଂଲାଦେଶ ପ୍ରଥମ ଥର ପାକିସ୍ତାନ ବିପକ୍ଷରେ ଟେଷ୍ଟ ଜିତି ଇତିହାସ ରଚିଛି ।

ବର୍ତ୍ତମାନ ସମୟରେ ବାଂଲାଦେଶ କ୍ରିକେଟ ଟିମ୍ ଫୁଲ୍ ଫର୍ମରେ ରହିଥିବା ବେଳେ ଭ୍ରମଣକାରୀ ଦଳ ପାକିସ୍ତାନକୁ ୧୦ ୱିକେଟରେ ପରାସ୍ତ କରି ଇତିହାସ ରଚିଛି । ଟେଷ୍ଟ ଇତିହାସରେ ଏହା ପାକିସ୍ତାନ ବିପକ୍ଷରେ ବାଂଲାଦେଶର ପ୍ରଥମ ଟେଷ୍ଟ ବିଜୟ । ପାକିସ୍ତାନ ମାତ୍ର ୩୦ ରନର ଟାର୍ଗେଟ ଦେଇଥିବା ବେଳେ କୌଣସି ୱିକେଟ ନ ହରାଇ ବାଂଲାଦେଶ ଏହି ମ୍ୟାଚକୁ ସହଜରେ ଜିତି ନେଇଥିଲା । ଦୁଇ ଦେଶ ମଧ୍ୟରେ ୨ ମ୍ୟାଚ ମିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବାକୁ ଥିବାବେଳେ ବାଂଲାଦେଶ ପ୍ରଥମ ମ୍ୟାଚରେ ବିଜୟୀ ହେବା ସହ ୧-୦ରେ ଆଗୁଆ ରହିଛି ।

ସୂଚନାଯୋଗ୍ୟ ଯେ, ୨୦୦୧ରେ ବାଂଲାଦେଶ ଟେଷ୍ଟ ଡେବ୍ୟୁ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦଳ ପାକିସ୍ତାନ ବିପକ୍ଷରେ ୧୫ଟି ଟେଷ୍ଟ ମ୍ୟାଚ ଖେଳିଥିଲା । ସେଥିମଧ୍ୟରୁ ବାଂଲାଦେଶ ୧୨ଟି ମୁକାବିଲାରେ ପରାଜୟ ବରଣ କରିଥିବା ବେଳେ ଗୋଟିଏ ରଦ୍ଦ ଓ ଆଉ ଗୋଟିଏ ଡ୍ର ହୋଇଥିଲା । ତେବେ ଦୀର୍ଘବର୍ଷର ପ୍ରତୀକ୍ଷା ପରେ ବାଂଲାଦେଶ ପ୍ରତିପକ୍ଷ ପାକିସ୍ତାନକୁ ହରାଇଥିବାରୁ ଏହା ଭ୍ରମଣକାରୀ ଦଳ ପାଇଁ ନିଶ୍ଚିତ ଭାବେ ବଡ଼ ସଫଳତା ।

Get real time updates directly on you device, subscribe now.