fbpx

ଲୋକସଭାରେ ବ୍ୟାଙ୍କିଂ ନିୟମ (ସଂଶୋଧନ) ବିଲ୍ ୨୦୨୪ ଆଗତ କଲେ ଅର୍ଥମନ୍ତ୍ରୀ: ବ୍ୟାଙ୍କ ଖାତାରେ ଯୋଡ଼ି ପାରିବେ ୪ ଜଣ ନୋମିନୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବ୍ୟାଙ୍କିଂ ନିୟମ (ସଂଶୋଧନ) ବିଲ୍ ୨୦୨୪ ଆଗତ କରିଛନ୍ତି । ଏହି ବିଲ୍ ଆଇନରେ ପରିଣତ ହେବା ପରେ ଗ୍ରାହକମାନେ ନିଜ ନିଜର ବ୍ୟାଙ୍କ ଖାତାରେ ୪ ଜଣ ନୋମିନୀଙ୍କୁ ଯୋଡ଼ି ପାରିବେ । ବର୍ତ୍ତମାନ ପ୍ରଚଳନ ରହିଥିବା ବ୍ୟାଙ୍କିଂ ନିୟମରେ ଗୋଟିଏ ଆକାଉଣ୍ଟରେ କେବଳ ଜଣେ ମାତ୍ର ନୋମିନୀଙ୍କ ନାମ ଯୋଡ଼ିବାର ଅନୁମତି ରହିଛି । ଗତ ୩ ତାରିଖ ଦିନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବ୍ୟାଙ୍କିଂ ଆଇନ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଥିବା ବେଳେ ଏବେ ଏହାକୁ ଲୋକସଭାରେ ଆଗତ କରାଯାଇଛି ।

ବର୍ତ୍ତମାନ ସେଭିଙ୍ଗସ ଆକାଉଣ୍ଟ ଓ ସ୍ଥାୟୀ ଜମା ଉପରେ ବ୍ୟାଙ୍କ ଜଣଙ୍କୁ ନୋମିନୀ ରଖିବା ପାଇଁ ଅନୁମତି ଦେଉଥିବା ବେଳେ ଆଗକୁ ନୋମିନୀଙ୍କ ସଂଖ୍ୟା ବଢ଼ିବ । ବ୍ୟାଙ୍କିଂ ଆଇନ ସହ ଜଡ଼ିତ ଅତିକମରେ ୬ଟି ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଲୋକସଭାରେ ଆଗତ କରିସାରିଥିବାରୁ ଏହା ଆଇନରେ ପରିଣତ ହେବା ପରେ ନୂଆ ନିୟମ ଲାଗୁ ହେବ । ଏକାଧିକ ନୋମିନୀ ବ୍ୟବସ୍ଥା ଲାଗୁ ହେବା ଫଳରେ ଆକାଉଣ୍ଟଧାରୀଙ୍କ ମୃତ୍ୟୁ ହେବା ପରେ ଆକାଉଣ୍ଟରେ ରହିଥିବା ଜମା ଅର୍ଥ ଜଏଣ୍ଟ ଆକାଉଣ୍ଟଧାରୀ ବା ଉତ୍ତରାଧିକାରୀଙ୍କୁ ମିଳିପାରିବ ।

ସୂଚନାଯୋଗ୍ୟ ଯେ, ଏହି ପଦକ୍ଷେପ ଫଳରେ କେନ୍ଦ୍ର ସରକାର ଅଣଦାବିଦାର ଆକାଉଣ୍ଟ ସଂଖ୍ୟାକୁ ହ୍ରାସ କରିବାକୁ ଚାହୁଁଛନ୍ତି । ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏଭଳି ଆକାଉଣ୍ଟରେ ୭୮ ହଜାର କୋଟି ଟଙ୍କା ରହିଥିଲା । ସବୁଠାରୁ ବଡ଼ କଥା ହେଉଛି, ଏହି ପର୍ଯ୍ୟାପ୍ତ ପରିମାଣର ଅର୍ଥର କୌଣସି ଦାବିଦାର ନାହାନ୍ତି । ଏହାର ବଡ଼ କାରଣ ହେଉଛି ଆକାଉଣ୍ଟରେ କେବଳ ଜଣେ ମାତ୍ର ନୋମିନୀ । ଯଦି କୌଣସି ସ୍ଥିତିରେ ନୋମିନୀଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ପରେ ଉକ୍ତ ଅର୍ଥକୁ କ୍ଲେମ କରିବାକୁ କେହି ନଥାନ୍ତି । ଯଦି ୪ ଜଣ ନୋମିନୀ ରହିବେ ତେବେ ଗ୍ରାହକ ବା ୧ ନମ୍ବର ନୋମିନୀଙ୍କ ମୃତ୍ୟୁ ଘଟିଲେ ବି ଆଉ ୩ ଜଣ ନୋମିନୀ ରହିବେ । ଅନେକ କ୍ଷେତ୍ରରେ ପତ୍ନୀ-ପତ୍ନୀ ଉଭୟେ ଉଭୟଙ୍କୁ ନୋମିନୀ ରଖିଥାନ୍ତି । ତେଣୁ ଏଭଳି ସ୍ଥିତିରେ ଉଭୟେ କୌଣସି କାରଣରୁ ପ୍ରାଣ ହରାଇଲେ ତାଙ୍କ ଆକାଉଣ୍ଟରେ କେହି ଦାବିଦାର ନଥାନ୍ତି । ତେଣୁ ନୋମିନୀ ସଂଖ୍ୟା ୪ କରିବା ନେଇ ବିଚାର କରାଯାଇଥିଲା ।

Get real time updates directly on you device, subscribe now.