fbpx

ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀଙ୍କୁ ବିଜେପିରେ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତୀୟ ରାଜନୀତି ସହିତ ପରିବାରବାଦର ସମ୍ପର୍କ ଏକ ପୁରୁଣା ପରମ୍ପରା । ପିତାମାତାଙ୍କ ପଦାଙ୍ଗ ଅନୁସରଣ କରି ପୁଅ, ଝିଅ, ନାତୁ, ନାତୁଣୀମାନେ ରାଜନୀତିରେ ପାଦ ଥାପିବା ଏକ ନୂଆ କଥା ନୁହେଁ । ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜଙ୍କୁ ମିଳିଛି ଏକ ବଡ଼ ଦାୟିତ୍ୱ ।

ସୂଚନା ମୁତାବକ, ମହିଳାଙ୍କ ସମସ୍ୟାର ସମାଧାନ ଲକ୍ଷ୍ୟରେ ବାଂସୁରୀକୁ ଏକ ବଡ଼ ଦାୟିତ୍ୱ ଦିଆଯାଇଛି । ବାଂସୁରୀଙ୍କୁ ଦିଲ୍ଲୀ ବିଜେପିର ସମ୍ପାଦିକା ଭାବେ ନିଯୁକ୍ତି ମିଳିଛି । ଏହା ପୂର୍ବରୁ ବାଂସୁରୀଙ୍କୁ ମଧ୍ୟ ବିଜେପି ବଡ଼ ଦାୟିତ୍ୱ ଦେଇଥିଲା । ଗତ ମାର୍ଚ୍ଚ ମାସରେ ବାଂସୁରୀଙ୍କୁ ଦିଲ୍ଲୀ ବିଜେପିର ଲିଗାଲ ସେଲର ସହସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଥିଲା । ଦିଲ୍ଲୀ ବିଜେପିର ପୂର୍ଣ୍ଣକାଳୀନ ପ୍ରଦେଶ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ବୀରେନ୍ଦ୍ର ସଚଦେବ ବାଂସୁରୀଙ୍କୁ ଏହି ଦାୟିତ୍ୱ ଦେଇଥିଲେ ।

ବାଂସୁରୀ ବର୍ତ୍ତମାନ ହରିୟାଣାର ଅତିରିକ୍ତ ମହାଧିବକ୍ତା ଭାବେ କାର୍ଯ୍ୟ କରିବା ସହିତ ଘରୋଇ କ୍ଷେତ୍ରରେ ମଧ୍ୟ ଅଭ୍ୟାସ କରୁଛନ୍ତି । ଗତ ମାର୍ଚ୍ଚରେ ସେ ଦିଲ୍ଲୀ ବିଜେପିର ଲିଗାଲ ସେଲର ସହସଂଯୋଜ ଭାବେ ଦାୟିତ୍ୱ ନେଇ ପ୍ରଥମ ଥର ରାଜନୀତିରେ ପାଦ ଥାପିଥିଲେ । ଏବେ ବାଂସୁରୀ ଦଳର ଦୈନନ୍ଦିନ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । କେନ୍ଦ୍ରୀୟ ନେତୃବୃନ୍ଦ ଚାହିଁଲେ ବାଂସୁରୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ବିଜେପିର ଜଣେ ବରିଷ୍ଠ ନେତା କହିନ୍ତି । ତେବେ ବାଂସୁରୀଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ବିଜେପି ସାଂସଦ ତଥା ଦିଲ୍ଲୀ ବିଜେପିର ପୂର୍ବତନ ଅଧ୍ୟକ୍ଷ ମନୋଜ ତିୱାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.