ହଜିଗଲା ମାନବିକତା, ନାବାଳିକା ସହ ଦୁଷ୍କର୍ମ ମାମଲାରେ ଏଫଆଇଆର୍ ଲେଖିବାକୁ ମହିଳା ପୋଲିସ ମାଗିଲେ ୨୦୦ ଟଙ୍କା ଲାଞ୍ଚ

ବରେଲୀ: ଉତ୍ତରପ୍ରଦେଶ ବରେଲୀ ଜିଲ୍ଲାରେ ପୋଲିସର ଲଜ୍ଜାଜନକ କାରନାମା ସାମ୍ନାକୁ ଆସିଛି । ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ମାମଲାରେ ଫରିଦପୁର ଥାନାର ମହିଳା ହେଲ୍ପ ଡେସ୍କରେ ନିୟୋଜିତ ପୋଲିସ କର୍ମୀ ପୀଡିତାଙ୍କୁ ସହଯୋଗ କରିବା ପରିବର୍ତ୍ତେ ଅଧିକ ପୀଡା ଦେଇଛନ୍ତି । ଏହି ମାମଲାରେ ପୀଡିତାଙ୍କ ମା’ ଏଫଆଇଆର୍ ଲେଖାଇବାକୁ ଆସିଥିବା ବେଳେ ମହିଳା ପୋଲିସ ତାଙ୍କ ଠାରୁ ୨୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଅଭିଯୋଗ ପାଇବା ପରେ ସିଓ ଘଟଣାର ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

ପୀଡିତାର ମା’ କହିଛନ୍ତି ସେ ପଢା ଲେଖା କରି ଶିଖିନାହାନ୍ତି । ତେଣୁ ସେ ପିଲାକୁ ସାଥିରେ ଧରି ସିଧା ଥାନାରେ ପହଞ୍ଚିଥିଲେ । ଥାନାରେ ତାଙ୍କୁ ଏଫଆଇଆର ମଗାଯାଇଥିଲା । ଏହାପରେ ସେ ମହିଳା ହେଲ୍ପ ଡେସ୍କରେ ବସିଥିବା ଜଣେ ମହିଳା ପୋଲିସଙ୍କୁ ଏଫଆଇଆର୍ ଲେଖିଦେବାକୁ କହିଛନ୍ତି । କିନ୍ତୁ ଏହି ମହିଳା ସିପାହୀ ଜଣକ ଏଫଆଇଆର ଲେଖାଇବା ଲାଗି ତାଙ୍କ ଠାରୁ ୨୦୦ ଟଙ୍କା ମାଗିଥିଲେ । ଏହାପରେ ମହିଳା ଜଣକ ଥାନାରୁ ଫେରି ଯାଇଥିଲେ । ଯେତେବେଳେ ଏହି ବିଷୟରେ ଇନସ୍ପେକ୍ଟର ଦୟାଶଙ୍କରଙ୍କ ପାଖରେ ସୂଚନା ପହଞ୍ଚିଥିଲା ସେତେବେଳେ ସେ ତତ୍କାଳ ପୀଡିତ ପରିବାରକୁ ଡକାଇଥିଲେ ଓ ସୁସଙ୍ଗତ ଧାରାରେ ତାଙ୍କ ରିପୋର୍ଟ ଦାଖଲ କରାଇଥିଲେ ।

ପୀଡିତା ନାବାଳିକାଙ୍କ ମା’ କହିଛନ୍ତି ଅଭିଯୁକ୍ତ ଟଫି ଦେବା ବାହାନାରେ ତାଙ୍କ ଝିଅକୁ ଘରକୁ ଡାକିଥିଲା । ସେ ଝିଅକୁ ଖୋଜି ଖୋଜି ଅଭିଯୁକ୍ତର ଘରେ ପହଞ୍ଚି ଦେଖିଥିଲେ ତାଙ୍କ ଝିଅ ରକ୍ତରେ ପୁରା ଜୁଡୁବୁଡୁ ହୋଇ ବିକଳରେ କାନ୍ଦୁଅଛି । ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ତାକୁ ହସ୍ପିଟାଲ ପଠାଯାଇଥିଲା ।
ପୋଲିସ କହିଛି ଅଭିଯୁକ୍ତ ବିରୁଦ୍ଧରେ ଦୁଷ୍କର୍ମ ଓ ପୋକ୍ସୋ ଜରିଆରେ ରିପୋର୍ଟ ଦାଖଲ କରାଯାଇଛି । ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ତାକୁ ଧରିବାକୁ ଚେଷ୍ଟା ଜାରି ରଖିଛି । ଅନ୍ୟପକ୍ଷରେ ମହିଳା ପୋଲିସଙ୍କ ଉପରେ ଲାଞ୍ଚ ନେବା ଅଭିଯୋଗର ଯାଞ୍ଚ କରାଯାଉଛି, ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।