fbpx

କଟକ ପରିବାର ଅଦାଲତରେ ବର୍ଷା-ଅନୁଭବ ହାଜର: ଉଭୟଙ୍କୁ ନିଜ ଚ୍ୟାମ୍ବରକୁ ପଠାଇଲେ ଜଜ୍

କଟକ(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଏବେ ବି ଜାରି ରହିଛି । ଏହାରି ମଧ୍ୟରେ ଦୁହେଁ ଆଜି କଟକ ପରିବାର ଅଦାଲତରେ ହାଜର ହୋଇଛନ୍ତି । ଅଦାଲତରେ ହାଜର ପରେ ଉଭୟ ବର୍ଷା ଓ ଅନୁଭବଙ୍କୁ ନିଜ ଚ୍ୟାମ୍ବରକୁ ପଠାଇଛନ୍ତି ଜଜ୍ । ଉଭୟଙ୍କ ସହ ଆଲୋଚନା କରିବାକୁ ଜଜ୍ ସେମାନଙ୍କୁ ନିଜ ଚ୍ୟାମ୍ବରକୁ ପଠାଇଥିବା କୁହାଯାଉଛି । କୋର୍ଟରେ ନିଜ ଅନ୍ୟକାମ ସାରି ଜଜ୍ ଉଭୟଙ୍କ ମାମଲାକୁ ନେଇ ଆଲୋଚନା କରିବେ ।

ତେବେ ଉଭୟଙ୍କ ମାମଲା କିପରି ସମାଧାନ ହୋଇପାରିବ, ସେନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ । ପୂର୍ବରୁ ବାରମ୍ବାର ତାରିଖ ଧାର୍ଯ୍ୟ ପରେ ବି ସାକ୍ଷ୍ୟଗ୍ରହଣ ପାଇଁ ବର୍ଷା କୋର୍ଟ ଆସୁନଥିଲେ । ସେହିପରି ଅନୁଭବ ମଧ୍ୟ ଛାଡ଼ପତ୍ର ପିଟିସନରେ ବିବାହ ସ୍ଥାନ ଭୁଲ୍ ଦର୍ଶାଇଥିଲେ । ଏହାକୁ ନେଇ ଉଭୟେ ବର୍ଷା ଓ ଅନୁଭବଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ଫାଇନ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ପରିବାର ଅଦାଲତ । ଅଯଥାରେ କୋର୍ଟଙ୍କ ସମୟ ବିଳମ୍ବ କରିଥିବାରୁ ଉଭୟେ ଏହି ଟଙ୍କା ଗଣିବେ ବୋଲି ଜଣାପଡ଼ିଛି । ଉଭୟଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷାଙ୍କ ଆବେଦନ ଓ ବିବାହ ସ୍ଥାନ ତଥ୍ୟରେ ସଂଶୋଧନ ପାଇଁ ଅନୁଭବଙ୍କ ଆବେଦନକୁ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.