ମହଶିବରାତ୍ରୀ ହେଉଛି ଅବଚେତନ ବିବେକ ବା ଜ୍ଞାନର ଜାଗରଣ। ନିଜ ମଧ୍ୟରେ ଥିବା ସୁପ୍ତ ସ୍ନାୟୁକୁ ସକ୍ରିୟ କରି ଜୀବନର ସଠିକ ମୂଲ୍ୟାୟନ ତଥା ଆତ୍ମାର ଜାଗରଣ ହେଉଛି ଶିବରାତ୍ରି ଜାଗରର ଉଦ୍ଦେଶ୍ୟ। ଦୟା, କ୍ଷମା, ସହନଶୀଳତା ଆଦିକୁ ଉଜ୍ଜୀବିତ କରି ଐନ୍ଦ୍ରିକ ଲାଳସାକୁ ଦମନ କରି ନିଷ୍ଠାର ସହ କର୍ମ କଲେ ଅଜ୍ଞାନତା ଦୂର ହୋଇଥାଏ। ତେଣୁ ମହାଶିବରାତ୍ରି ହେଉଛି ନିଜ ମଧ୍ୟରେ ଥିବା ମହାନତାକୁ ଜାଗ୍ରତ କରି ତ୍ୟାଗପୂତ ଜୀବନର ଅନ୍ୱେଷଣ।
ଭାରତୀୟ ଧର୍ମ ଓ ସଂସ୍କୃତିକୁ ଆଲୋଚନା କଲେ ସୃଷ୍ଟିର ସର୍ଜନା କର୍ତ୍ତା ମହାଦେବଙ୍କ ସ୍ୱରୂପ, ସ୍ଥିତି ଓ ସତ୍ତା ସ୍ୱୟଂ ମନକୁ ଆସିଥାଏ । ମହାଦେବ ହେଉଛନ୍ତି ସର୍ବ ବ୍ୟାପକ ଚିରନ୍ତନ ସତ୍ୟ, ଯିଏ ସତ୍ୟ, ଶିବ, ସୁନ୍ଦର, ସ୍ୱୟମ୍ଭୁ । ସେ ସତ୍ତ୍ୱ ଗୁଣରେ ବିଷ୍ଣୁ, ରଜୋ ଗୁଣରେ ବ୍ରହ୍ମା ଓ ତମୋ ଗୁଣରେ ମହାଦେବ । ଜାଗ୍ରତରେ ସେ ସତ୍ତ୍ୱ, ସ୍ୱପ୍ନାବସ୍ଥାରେ ସେ ରଜୋଗୁଣ ଓ ନିଦ୍ରାବସ୍ଥାରେ ସେ ତମୋଗୁଣ । ମହାଦେବ ହେଉଛନ୍ତି ସ୍ଥିତି, ପାଳନ, ସଂହାର, ନିଗ୍ରହ ଓ ଅନୁଗ୍ରହର ଦେବତା । ସୃଷ୍ଟିର ରଚନା ହେଲା ‘ସ୍ଥିତି’, ରକ୍ଷା କରିବା ହେଲା ‘ପାଳନ’, ଧର୍ମ ଓ ଅଧର୍ମକୁ ବିଚାର କରି ଅଧର୍ମର ସଂହାର କରିବା ହେଉଛି ‘ସଂହାର’, ସଂହାରରୁ ତିରୋଭାବ ହେଲା ‘ନିଗ୍ରହ’ ଓ ଉକ୍ତ ପ୍ରକ୍ରିୟାରୁ ମୁକ୍ତି ହେଉଛି ‘ଅନୁଗ୍ରହ’ ।
ଉକ୍ତ ପାଞ୍ଚ ପ୍ରକ୍ରିୟା ମହାଦେବଙ୍କ ଠାରେ ଥିବାରୁ ତାଙ୍କୁ ପଞ୍ଚାନନ ମଧ୍ୟ କୁହାଯାଏ, କାରଣ ମହାଦେବଙ୍କ ଚତୁର୍ଦ୍ଦିଗକୁ ଚାରୋଟି ମୁଖ ଥିବାବେଳେ ଅନ୍ୟ ଗୋଟିଏ ମୁଖ ଊର୍ଦ୍ଧ୍ୱକୁ ରହିଥାଏ । ପ୍ରତ୍ୟେକ ମନୁଷ୍ୟ ଜୀବଦ୍ଦଶା ମଧ୍ୟରେ ଯେତେ ଯାହା ଶିକ୍ଷା କରିଥାଏ ତାହା କିଛି ପୋଥିଗତ ଶିକ୍ଷା ଦ୍ୱାରା ହୋଇଥାଏ ତ ଆଉ କିଛି ଅନୁକରଣରୁ ଶିକ୍ଷା ହୋଇଥାଏ । ଧାର୍ମିକ ଉପଦେଶରୁ ଶିକ୍ଷା ହୋଇଥାଏ ତ ପୁଣି ଆଉ କିଛି ସତସଙ୍ଗ ଦ୍ୱାରା ହୋଇଥାଏ । ମାତ୍ର ବିଶ୍ୱାସରେ ଧର୍ମର ସ୍ଥିତି ଓ ପରିକଳ୍ପନା ନିହିତ ଥାଏ । ଧର୍ମ ହେଉଛି ଏକ ବିଶ୍ୱାସ ଯାହାକୁ କୌଣସି ପ୍ରେକ୍ଷାଳୟ, ବିଚାରାଳୟ ବା ପରୀକ୍ଷାଗାରରେ ପ୍ରମାଣ କରିହୁଏ ନାହିଁ ।
ଧର୍ମ ହେଉଛି ଅନୁଭବ । ଚିନ୍ତନରୁ ତ୍ୟାଗର ସୃଷ୍ଟି ତେଣୁ ମହାଦେବ ହେଉଛନ୍ତି ତ୍ୟାଗୀ । ସମସ୍ତଙ୍କର ମଙ୍ଗଳ ପାଇଁ ସେ ତ୍ୟାଗୀ ଆଉ ସେହି ତ୍ୟାଗର ସାକ୍ଷୀ ହେଉଛି ଦୀପ । କାରଣ ଦୀପ ମଧ୍ୟ ନିଜେ ତ୍ୟାଗୀ । ଭାରତୀୟ ଧର୍ମ ସଂସ୍କୃତିରେ ଅଗ୍ନି, ବୃକ୍ଷ, ସୂର୍ଯ୍ୟ, ଚନ୍ଦ୍ର ଆଦିଙ୍କୁ ପ୍ରାୟ ସମସ୍ତ ଧର୍ମାବଲମ୍ବୀ ମାନ୍ୟତା ଦେଇଥାନ୍ତି । ତେଣୁ ଦୀପରେ ସଳିତା, ଇନ୍ଧନ ଓ ଜ୍ୱଳନର ସଂଯୋଗରେ ଦୀପ ସ୍ୱୟଂ ନିଜେ ଜ୍ୱଳିତ ହୋଇ ଚତୁର୍ଦିଗକୁ ଆଲୋକିତ କରିଥାଏ । ଦୀପ ହେଉଛି ତ୍ୟାଗୀ । ସେଥିପାଇଁ କୁହାଯାଇଥାଏ ଦୀପ ତଳ ଅନ୍ଧାର । ଦୀପ ନିଜେ ଅନ୍ୟକୁ ବାଟ ଦେଖାଇଥାଏ । ଏହା ହେଉଛି ଭାରତୀୟ ଧର୍ମର ସଂସ୍କୃତି । ଆଲୁଅର ଉତ୍ପତ୍ତି ଥାଏ ଓ ଏହାର ଏକ ନିର୍ଦ୍ଦିଷ୍ଟ ଉତ୍ସ ଥାଏ, ମାତ୍ର ଅନ୍ଧାରର କୌଣସି ଉତ୍ପତ୍ତି ନଥାଏ । ଆଲୁଅର ଅବର୍ତ୍ତମାନରେ ଅନ୍ଧାରର ଆବିର୍ଭାବ ହୋଇଥାଏ । ଆଲୁଅର ଆରମ୍ଭ ଓ ଶେଷ ଅଛି ଓ ଏହା ଏକ ସୀମିତ ସମୟ ମଧ୍ୟରେ ସୀମିତ ଥାଏ, ମାତ୍ର ଅନ୍ଧାରର ଉତ୍ସ ହେଉଛି ନିଜସ୍ୱ । ଏହା ସର୍ବବ୍ୟାପକ ଓ ସର୍ବତ୍ର ବିଦ୍ୟମାନ । ଅନ୍ଧାରକୁ ଦୂର କରିବା ପାଇଁ ଆଲୁଅର ଆବଶ୍ୟକତା ରହିଛି ।
ମହାଦେବ ଯେପରି ‘ସତ୍ତ୍ୱ’, ‘ରଜୋ’ ଓ ‘ତମୋ’ର ସମଷ୍ଟି, ସେହିପରି ଦୀପ ହେଉଛି ସେହି ତ୍ରିଗୁଣର ସମଷ୍ଟି । ଦୀପର ଆଲୋକରେ ହୃଦୟ ଆଲୋକିତ ହୋଇଥାଏ । ଏହା ହେଉଛି ସତ୍ୟର ସାକ୍ଷୀ । ଦୀପ ଅନ୍ଧକାର, ଅଜ୍ଞାନତା ଓ ଶତ୍ରୁ ବିନାଶ କରିଥାଏ । ଦୀପର ଶିଖାକୁ ଜ୍ଞାନର ଶିଖା ବୋଲି କୁହାଯାଏ । ଯେକୌଣସି ମାଙ୍ଗଳିକ କର୍ମରେ ସାକ୍ଷୀ ସ୍ୱରୂପ ପ୍ରଥମେ ଅଗ୍ନିକୁ ଆବାହନ କରି ଦୀପ ପ୍ରଜ୍ୱଳନ ହୋଇଥାଏ । ଦୀପର ଆଲୋକ କ୍ଷୀଣ ହୋଇଥିଲେ ମଧ୍ୟ ସେ ସତ୍ୟ ଓ ବିଶ୍ୱାସ ତଥା ସହଯୋଗୀ । ତେଣୁ ମହାଶିବରାତ୍ରିରେ ଭକ୍ତ ଯେତେବେଳେ ସନ୍ଧ୍ୟାର ଆଗମନରେ ଦୀପ ଜଳାଇ ମହାଦେବଙ୍କୁ ସ୍ତୁତି କରେ, ଦୀପ ଥାଏ ତାହାର ସାକ୍ଷୀ । ଦୀପ ହେଉଛି ଚିନ୍ତା, ଚେତନା ଓ ଏକାଗ୍ରତାର ସହାୟକ । ଅଗ୍ନିକୁ ଶ୍ରଦ୍ଧା ଓ ଭକ୍ତିରେ ଦୀପର ମାନ୍ୟତା ହୋଇଥାଏ ।
ସେଥିପାଇଁ ମନୁଷ୍ୟର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଦୀପ ଓ ଅଗ୍ନି ସାଥିରେ ରହିଥାନ୍ତି । ତେଣୁ ଦୀପ ହେଉଛି ସତ୍ୟ ଓ ନ୍ୟାୟର ପ୍ରତୀକ । ଏହି ସତ୍ୟକୁ ଦୃଢୀଭୂତ କରିବା ପାଇଁ ମହାଶିବରାତ୍ରିରେ ଶୈବ ଭକ୍ତମାନେ ଯେତେବେଳେ ଅଖଣ୍ଡ ଦୀପ ଜଳାଇ ମହାଦେବଙ୍କୁ ପ୍ରାର୍ଥନା କରନ୍ତି, ସେତେବେଳେ ଭକ୍ତର ମନ ମହାଦେବଙ୍କ ତ୍ୟାଗ ଆଦର୍ଶ ଓ ନିଷ୍ଠାକୁ ମନେ ପକାଇ ଦେଇଥାଏ । ଯେତେବେଳେ ଦୀପଗୁଡିକ ଧରାପୃଷ୍ଠରେ ଜଳୁଥାଏ, ସେତେବେଳେ ତାହା ସାମାନ୍ୟ ଦୀପ ହିସାବରେ ଆକଳନ କରାଯାଇଥାଏ, ମାତ୍ର ମହାଶିବରାତ୍ରିରେ ଯେତେବେଳେ ମହାଦେବଙ୍କ ମନ୍ଦିର ଚୁଳାରେ ସଂସାରର ମଙ୍ଗଳ ପାଇଁ ସଂସାରରେ ଅନ୍ଧାରକୁ ଅପସରି ଦେଇ ଆଲୁଅ ଦେଖାଦେଇଥାଏ ତାହା ହୁଏ ‘ମହାଦୀପ’।
ଡ.ସତ୍ୟ ନାରାୟଣ ମିଶ୍ର
ଅଭିଲେଖାଧିକାରୀ
ଏମ-୭୯ , ମଧୁସୂଦନ ନଗର
ୟୁନିଟ – ୪ , ଭୁବନେଶ୍ୱର
ମୋ -୯୯୩୭୩୪୫୯୦୦