fbpx

ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କଲା BCCI: ଜଶପ୍ରୀତ ବୁମରାହ ଅଧିନାୟକ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ପରେ ଆୟରଲାଣ୍ଡ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଟିମ୍ । ତେବେ ଏହି ସିରିଜରେ ଭାରତ ପାଇଁ କମବ୍ୟାକ କରିବାକୁ ଯାଉଛନ୍ତି ଜଣେ ଷ୍ଟାର ଖେଳାଳି । ଟିମ ଇଣ୍ଡିଆର ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ଦିର୍ଘ ଦିନରେ ପରେ ପୁଣିଥରେ ଭାରତୀୟ ଜର୍ସିରେ କମବ୍ୟାକ କରିବାକୁ ଯାଉଛନ୍ତି । ତେବେ ଏଥର ବୁମରାହଙ୍କୁ ଏକ ନୂଆ ଦାୟିତ୍ୱ ଦେଇଛି ଭାରତୀୟ କ୍ରିକେଟ ବୋର୍ଡ । ଆହତ ସମସ୍ୟାରୁ ସୁସ୍ଥ ହୋଇ ଟିମ ଇଣ୍ଡିଆକୁ ଫେରୁଥିବା ବୁମରାହ ଆୟରଲାଣ୍ଡ ଗସ୍ତରେ ଭାରତର ନେତୃତ୍ୱଭାର ସମ୍ଭାଳିବେ ।

ଆୟରଲାଣ୍ଡ ବିପକ୍ଷ ସିରିଜ ପାଇଁ ଟିମ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତଶର୍ମାଙ୍କ ସହିତ ଟି-୨୦ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି । ତେଣୁ ବୁମରାହଙ୍କ ନେତୃତ୍ୱରେ ଆୟରଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳିବ ମେନ୍ ଇନ୍ ବ୍ଲୁ । ବୁମରାହଙ୍କ ପରେ ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡ ଦଳର ଉପଅଧିନାୟକ ଭାବରେ ଦାୟିତ୍ୱ ପାଇଛନ୍ତି । ତେବେ ଏହି ସିରିଜ ପାଇଁ ଅନେକ ନୂଆ ଏବଂ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି ବିସିସିଆଇ । ଆଇପିଏଲ-୨୦୨୩ରେ ଦମଦାର ପ୍ରଦର୍ଶନ କରିଥିବା କିଛି ଯୁବ ପ୍ରତିଭାଙ୍କୁ ଆୟରଲାଣ୍ଡ ଗସ୍ତରେ ସୁଯୋଗ ମିଳିବ ।

ସୂଚନା ଅନୁସାରେ, ଗତବର୍ଷ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଆହତ ହୋଇ ଟିମ ଇଣ୍ଡିଆରୁ ବାଦ୍ ପଡ଼ିଛନ୍ତି ବୁମରାହ । ଏହାପରେ ପିଠି ସର୍ଜରୀ କରି ସେ ପ୍ରାୟ ୧୦ ମାସ ଦଳରୁ ବାହାରେ ରହିଥିଲେ । ଏହି ସମୟ ମଧ୍ୟରେ ନେସନାଲ କ୍ରିକେଟ ଏକାଡେମୀରେ ଅଭ୍ୟାସ କରୁଥିବା ବେଳେ ବର୍ତ୍ତମାନ ପୁଣିଥରେ ଦଳକୁ କମବ୍ୟାକ କରିବା ପାଇଁ ସେ ପ୍ରସ୍ତୁତ ହୋଇ ସାରିଛନ୍ତି । ତେବେ ଆୟରଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ବୁମରାହଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରିଛି ବିସିସିଆଇ । ଆସନ୍ତା ଅଗଷ୍ଟ ୧୮ ତାରିଖର ଆରମ୍ଭ ହେବାକୁ ଯାଉଥିବା ଏହି ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ୨୦ ଏବଂ ୨୩ ତାରିଖରେ ତୃତୀୟ ତଥା ଶେଷ ମ୍ୟାଚ ଖେଳାଯିବ ।

ଆୟରଲାଣ୍ଡ ବିପକ୍ଷରେ ଟି-୨୦ ଦଳ: ଜଶପ୍ରୀତ ବୁମରାହ(ଅଧିନାୟକ), ଋତୁରାଜ ଗାଏକ୍ୱାଡ(ଉପଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ତିଲକ ବର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ, ଜିତେଶ ଶର୍ମା, ଶିବମ ଦଚବେ, ୱାଶିଂଟନ ସୁନ୍ଦର, ଶେହବାଜ ଅହମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କ୍ରୀଷ୍ଣା, ଅର୍ଶଦୀପ ସିଂହ, ମୁକେଶ କୁମାର, ଆଭେଶ ଖାନ୍

Get real time updates directly on you device, subscribe now.