ନୂଆଦିଲ୍ଲୀ: ମେଳା ବା ବଜାରରେ ଯଦି ଆପଣ ନିଜ ପିଲାଙ୍କୁ ବମ୍ବେ ମିଠେଇ କିଣିକରି ଖାଇବାକୁ ଦେଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ପିଲାଙ୍କର ଅତି ପ୍ରିୟ ଏହି ମିଠେଇରେ କ୍ୟାନସର ସୃଷ୍ଟିକାରୀ କେମିକାଲ ରହିଛି । ଚିନିରେ ତିଆରି ହେଉଥିବା ଏହି ମିଠେଇକୁ ଇଂରାଜୀରେ କଟନ କ୍ୟାଣ୍ଡି କୁହାଯାଏ ।
ଖାଦ୍ୟ ସୁରକ୍ଷା ଅଧିକାରୀ ଯାଞ୍ଚ ସମୟରେ ବମ୍ବେ ମିଠେଇରେ ରୋଡୋମାଇନ୍ ବି କେମିକାଲ୍ ପାଇଛନ୍ତି ଯାହା ସାଧାରଣତଃ କପଡା ଉଦ୍ୟୋଗରେ ବ୍ୟବହାର କରାଯାଏ । ଏହା ଶରୀର ମଧ୍ୟକୁ ଯାଇ କ୍ୟାନସର ସୃଷ୍ଟିର କାରକ ପାଲଟିଯାଏ । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ପୁଡୁଚେରୀ ପରେ ଏବେ ତାମିଲନାଡୁ ଏହା ଉପରେ ପ୍ରତିବନ୍ଧ ଲଗାଇଛି ।
ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ଏମ୍ ସୁବ୍ରମଣ୍ୟମ କଟନ କ୍ୟାଣ୍ଡି ଉପରେ ପ୍ରତିବନ୍ଧ ଲଗାଇ କହିଛନ୍ତି ଏହାର ଉଦ୍ଦେଶ୍ୟ କଟନ କ୍ୟାଣ୍ଡି ପ୍ରସ୍ତୁତକର୍ତ୍ତା, ବିକ୍ରେତା ଓ ଗ୍ରାହକଙ୍କ ମଧ୍ୟରେ ରଙ୍ଗୀନ କ୍ୟାଣ୍ଡିରେ ଥିବା କ୍ଷତିକାରକ କେମିକାଲ ବିଷୟରେ ସଚେତନତା ସୃଷ୍ଟି କରିବା । ସେ କହିଛନ୍ତି ଏହା ପାଟିକୁ ସୁଆଦିଆ ଲାଗୁଥିଲେ ବି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ସେ କହିଛନ୍ତି ସଚେତନତା ସୃଷ୍ଟି ହେବା ପରେ ଖାଦ୍ୟ ସୁରକ୍ଷା ଅଧିକାରୀ ଏହା ସୁନିଶ୍ଚିତ କରିବେ କି କେବଳ ରଙ୍ଗମୁକ୍ତ କଟନ କ୍ୟାଣ୍ଡି ବିକ୍ରୀ କରାଯିବ ।