ସତର୍କ ରୁହନ୍ତୁ, ରାଜ୍ୟକୁ ପୁଣି ଫେରୁଛି ତାତି, ଭାଙ୍ଗିବ ସବୁ ରେକର୍ଡ!
ସତର୍କ କଲା ପାଣିପାଗ ବିଭାଗ। ୧୩ ତାରିଖ ଯାଇଁ ସିଝିବ ଓଡ଼ିଶା।
ଭୁବନେଶ୍ୱର: ସତର୍କ ରୁହନ୍ତୁ। ପୁଣି ରାଜ୍ୟକୁ ଫେରୁଛି ଭୀଷଣ ତାତି। ଜଳିବ ଓଡ଼ିଶା। କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷା ହେଉଥିବା କାରଣରୁ କିଛି ଦିନ ହେବ ଟାଣ ଖରାର ପ୍ରକୋପ କିଛିଟା ମାତ୍ରାରେ କମିଥିଲା।
ହେଲେ ଏବେ ପୁଣିଥରେ ରାଜ୍ୟକୁ ଫେରୁଛି ତାତି। ସିଝିବ ପୁରା ଓଡ଼ିଶା। ଏମିତିରେ ଆଜି ଯେଉଁଭଳି ଟାଣ ଖରା ହେଉଛି ସେଥିରୁ ଅନୁମାନ କରିହେଉଛି ଆଗକୁ ସ୍ଥିତି କ’ଣ ହେବ। ପାଣିପାଗ ଆକଳନ କରିଛି ଆଜିଠାରୁ ରାଜ୍ୟରେ ପାରଦ ବଢ଼ିବ।
ଯାହା ଫଳରେ ଭୀଷଣ ଖରା ଗରମକୁ ଝାଞ୍ଜି ପବନ ମଧ୍ୟ ବହିବାର ସମ୍ଭାବନା ରହିଛି। ଏହାକୁ ନେଇ କେତେକ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରିଛି। ଆଜିପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଅସମ୍ଭାଳ ଗରମ ସହିତ ଗୁଳୁଗୁଳି ସ୍ଥିତି ରହିବାର ସମ୍ଭାବନା ରହିଛି।
ସେହିପରି ଶୁକ୍ରବାର ସମ୍ବଲପୁର ଓ ଝାରସୁଗୁଡ଼ାରେ ଗ୍ରୀଷ୍ମପ୍ରବାହ ଅଧିକ ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଏହିପରି ସ୍ଥିତି ୧୩ ତାରିଖ ପର୍ଯ୍ୟାନ୍ତ ଲାଗି ରହିବ ବୋଲି ଆକଳନ କରିଛି ପାଣିପାହ କେନ୍ଦ୍ର। ୧୨ ଓ ୧୩ ତାରିଖ ବେଳକୁ ଗ୍ରୀଷ୍ଣ ପ୍ରବାହ ଆହୁରି ବଢିବା ଆକଳନ କରାଯାଇଛି।
ଏହି ୨ ଦିନ ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲା ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିଛି। ଆଗକୁ ପାରଦ ୪୫ ଡିଗ୍ରୀ ଛୁଇଁପାରେ। ୪୦ ଡିଗ୍ରି ପାର କରି ବୁଧବାର ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ଥିଲା।