ତନ୍ତ୍ର-ମନ୍ତ୍ର ପାଇଁ ଝିଅ ଖୋଜା, ସେ ପୁଣି ସାଢ଼େ ୫ ଫୁଟ ହାଇଟ, ଗୋରା, ଦେହରେ କୌଣସି ଟାଟୁ ନଥିବା ଦରକାର

ତନ୍ତ୍ର-ମନ୍ତ୍ର ପାଇଁ ଆଦିବାସୀ ସୁନ୍ଦରୀ ଝିଅମାନଙ୍କୁ କରାଯାଉଛି ଟାର୍ଗେଟ

ଉତ୍ତରପ୍ରଦେଶ: ତନ୍ତ୍ର-ମନ୍ତ୍ର ପାଇଁ ଆଦିବାସୀ ସୁନ୍ଦରୀ ଝିଅମାନଙ୍କୁ କରାଯାଉଛି ଟାର୍ଗେଟ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାରେ। ଏଠାରେ ତନ୍ତ୍ର ମନ୍ତ୍ର ନାମରେ ସୁନ୍ଦରୀ ଆଦିବାସୀ ଝିଅମାନଙ୍କୁ ଖୋଜିବାର ଏକ ମାମଲା ସାମ୍ନାକୁ ଆସିଛି।

ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଯେଉଁମାନେ ଝିଅକୁ ବାହାରକୁ ନେଇ କିଛି ସ୍ୱତନ୍ତ୍ର ପୂଜା କରାଇବା ବିଷୟରେ କଥା ହୋଇଥିଲେ।

ଏଠାରେ କିଛି ଦିନ ଧରି ଅନେକ ଗାଁରେ ଦୁଇ ଯୁବକଙ୍କ ଏକ ଗ୍ୟାଙ୍ଗ ବୁଲୁଥିବାର ଦେଖାଯାଉଥିଲା। ସେମାନେ ସାଢ଼େ ୫ ଫୁଟ ଉଚ୍ଚ ଆଦିବାସୀ ଝିଅମାନଙ୍କୁ ଖୋଜୁଥିବା କୁହାଯାଉଛି।

ଝିଅଟି ଗୋରା ଏବଂ ସୁନ୍ଦର ହୋଇଥିବ, ଦେହରେ କୌଣସି ପ୍ରକାରର ଟାଟୁ ନଥିବ ଏବଂ ବୟସ 18 ରୁ 28 ବର୍ଷ ମଧ୍ୟରେ ହୋଇଥିବ। ଏଭଳି ଝିଅ ଯିଏ ଆଣିବ ତାକୁ ପାଞ୍ଚରୁ ଦଶ ଲକ୍ଷ ଟଙ୍କା ଦିଆଯିବ ବୋଲି ଲୋଭ ମଧ୍ୟ ଦିଆଯାଉଥିଲା।

ଏହି ମାମଲାରେ ଅତିରିକ୍ତ ଏସପି ତ୍ରିଭୁବନ ନାଥ ତ୍ରିପାଠି କହିଛନ୍ତି ଯେ, ଜଣେ ମହିଳା ମୟୋରପୁରର ସତ୍ୟେନ୍ଦ୍ର ପ୍ରତାପ ସିଂହଙ୍କ ସହ କଥାବାର୍ତ୍ତାର ଏକ ଭିଡିଓ ଥାନାରେ ଦାଖଲ କରିଛନ୍ତି।

ଯେଉଁଥିରେ ପୂଜା ଏବଂ ତନ୍ତ୍ର-ମନ୍ତ୍ର ନାମରେ ଏକ ସୁନ୍ଦର, ସଫା ଏବଂ ଉଚ୍ଚ ଝିଅ ଦାବି କରାଯାଉଛି। ବଦଳରେ ଟଙ୍କା ଦେବା କଥା ହେଉଛି। ପୋଲିସ ଏହି ଘଟଣା ସମ୍ପର୍କରେ ଜାଣି ଏକ ମାମଲା ରୁଜୁ କରିଛି ଏବଂ ଉଭୟ ଯୁବକଙ୍କୁ ଗିରଫ କରିଛି।