ପୂର୍ବତନ ପ୍ରେମିକକୁ ଭୁଲି ପାରୁ ନ ଥିଲେ ଷ୍ଟେଶନ୍ ମାଷ୍ଟରଙ୍କ ସ୍ତ୍ରୀ, ଦମ୍ପତିଙ୍କ ଝଗଡା ପାଇଁ ୩ କୋଟିର କ୍ଷତି ସହିଲା ରେଳ ବିଭାଗ
ବିଶାଖାପାଟନା: ଆନ୍ଧ୍ର ପ୍ରଦେଶ ବିଶାଖାପାଟନାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଷ୍ଟେଶନ ମାଷ୍ଟରଙ୍କ ଘର କଳି ପାଇଁ ରେଳ ବିଭାଗକୁ ସହିବାକୁ ପଡ଼ିଛି ୩ କୋଟି ଟଙ୍କାର କ୍ଷତି । ଷ୍ଟେଶନ ମାଷ୍ଟର ଫୋନରେ ସ୍ତ୍ରୀଙ୍କ ସହ କଥା ହେଉଥିବାବେଳେ ଓକେ କହିଲେ । ଓକେ’କୁ ଅନ୍ୟଜଣେ ଅଧିକାରୀ ଶୁଣି ଗ୍ରୀନ ସିଗନାଲ ଭାବିଲେ । ମାଲବାହୀ ଟ୍ରେନକୁ ଯେଉଁ ଧରଣାରେ ନବାର ନ ଥିଲା ସେ ଲାଇନକୁ ଟ୍ରେନର ରୁଟ୍ ବଦଳାଇ ଦେଲେ । ଏଥିରେ କୌଣସି ପ୍ରାଣହାନୀ ଘଟି ନଥିଲେ ମଧ୍ୟ ବିଭାଗକୁ ୩ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ଏ ନେଇ ଷ୍ଟେଶନ ମାଷ୍ଟରଙ୍କୁ ସସପେଣ୍ଡ ହେବାକୁ ମଧ୍ୟ ପଡ଼ିଲା ।
ଷ୍ଟେଶନ ମାଷ୍ଟର ଆନ୍ଧ୍ରପ୍ରଦେଶ ବିଶାଖାପାଟନାର ଏବଂ ତାଙ୍କ ସ୍ତ୍ରୀ ଛତିଶଗଡ଼ର । ୨୦୧୧ରେ ଦୁହେଁ ବିବାହ କରିଥିଲେ । ବାହାଘର ପୂର୍ବରୁ ମହିଳା ଜଣକ ଅନ୍ୟ ଜଣଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ଷ୍ଟେଶନ ମାଷ୍ଟରଙ୍କୁ ବାହା ହେବା ପରେ ବି ମହିଳା ତାଙ୍କ ପ୍ରେମିକଙ୍କୁ ଭୁଲିପାରି ନ ଥିଲେ । ଯାହାପାଇଁ ସ୍ୱାମୀ-ସ୍ତ୍ରୀ ଭିତରେ ସବୁବେଳେ କଳିଗୋଳ ଲାଗି ରହୁଥିଲା । ଷ୍ଟେଶନ ମାଷ୍ଟରଙ୍କ ସମେତ ତାଙ୍କ ପରିବାର ଲୋକେ ମହିଳାଙ୍କୁ ବହୁ ବୁଝାସୁଝା କଲେ । ତଥାପି ମହିଳା ପ୍ରେମିକ ସହ କଥା ହେବା ବନ୍ଦ କରୁ ନ ଥିଲେ । ପ୍ରେମିକଙ୍କୁ ନେଇ ଷ୍ଟେଶନ ମାଷ୍ଟର ଓ ପତ୍ନୀଙ୍କ ଭିତରେ ଝଗଡ଼ା ଜାରି ରହିଥିଲା । ଘଟଣା ଦିନ ରାତିରେ ମହିଳା ଜଣକ ଷ୍ଟେଶନ ମାଷ୍ଟରଙ୍କ ସହ ଫୋନରେ କଥା ହେଉଥିଲେ । ଦୁହେଁ ପରସ୍ପରକୁ ଗାଳି କରୁଥିବାବେଳେ ଘରକୁ ଯାଇ ଏ କଥା ଆଲୋଚନା ନେଇ ଷ୍ଟେଶନ ମାଷ୍ଟର କହିଥିଲେ । ଫୋନ ରଖିବା ପୂର୍ବରୁ ସେ ଓକେ ଶବ୍ଦ ବ୍ୟବହାର କରିଥିଲେ । ଫୋନରେ କଥା ହେବା ସମୟରେ ସେ ଭୁଲିଯାଇଥିଲେ ଯେ, ତାଙ୍କ ପାଖରେ ଲାଗିଥିବା ମାଇକ୍ରୋ ଫୋନ ଅନ ଅଛି । ସେ ସମୟରେ ଅପରପାଖରେ ଥିବା ତାଙ୍କ ସହଯୋଗୀ ଓକେ ଶୁଣି ଗ୍ରୀନ ସିଗନାଲ ଭାବି ମାଲବାହୀ ଟ୍ରେନକୁ ଭୁଲ ଧରଣାରେ ନେଇଗଲେ । ଏଥିରେ କାହାରି ପ୍ରାଣହାନୀ ଘଟି ନ ଥିଲେ ସୁଦ୍ଧା ରେଳବାଇକୁ ୩ କୋଟି ଟଙ୍କାର କ୍ଷତି ହେଲା । ବିଭାଗ ପକ୍ଷରୁ ଷ୍ଟେଶନ ମାଷ୍ଟରଙ୍କୁ ନିଲମ୍ବନ କରାଗଲା । ସ୍ତ୍ରୀ ଠାରୁ ଛାଡ଼ପତ୍ର ନେବା ପାଇଁ ସେ ବିଶାଖାପାଟନା ଫ୍ୟାମିଲି କୋର୍ଟରେ ଆବେଦନ ମଧ୍ୟ କଲେ । କିନ୍ତୁ ସ୍ତ୍ରୀ ଓଲଟି ତା’ ଶାଶୁଘର ଲୋକଙ୍କ ଉପରେ ଯୌତୁକ ନିର୍ଯାତନ ମାମଲା କରିଦେଲେ । ପାଖାପାଖି ୧୨ ବର୍ଷ କାଳ କୋର୍ଟର ଚକର କାଟିବା ପରେ ଷ୍ଟେଶନ ମାଷ୍ଟରଙ୍କୁ ମିଳିଛି ସ୍ତ୍ରୀ ଠାରୁ ଛାଡ଼ପତ୍ର ଆଉ ଷ୍ଟେଶନମାଷ୍ଟରଙ୍କ ଜୀବନ ପୁଣିଥରେ ସ୍ୱଭାବିକ ହେଲା ।