fbpx

୬ ମାସ ପୁରିନି, ‘ରାମ ମନ୍ଦିର’ର ସ୍ଥିତି ବେହାଲ… ଛାତ ଫୁଟି ଉପରୁ ଗଳୁଛି ବର୍ଷାପାଣି: ମୁଖ୍ୟ ପୂଜାରୀଙ୍କ ଅଭିଯୋଗ

ନୂଆଦିଲ୍ଲୀ: ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଜାନୁୟାରୀ ୨୨ ତାରିଖରେ ଏହାର ପ୍ରାଣ ପ୍ରତିଷ୍ଠା ଦେଖିଥିଲା ସାରା ଭାରତ । ଏହି ପର୍ବକୁ ୬ ମାସ ବି ପୁରିନି, କିନ୍ତୁ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟକୁ ନେଇ ଉଠିଛି ବିରାଟ ପ୍ରଶ୍ନ । ବର୍ଷା ଆସିବା ମାତ୍ରେ ରାମ ମନ୍ଦିରର ଛାତ କଣା ହୋଇ ପାଣି ଗଳୁଥିବା ଅଭିଯୋଗ କରିଛନ୍ତି ମନ୍ଦିରର ମୁଖ୍ୟ ପୂଜକ ସତ୍ୟେନ୍ଦ୍ର ଦାସ । ବର୍ଷା ଯୋଗୁଁ ରାମଲଲା ବିରାଜମାନ ହୋଇଥିବା ସ୍ଥାନରେ ପାଣି ଜକେଇ ଆସିବା ସହିତ ପରେ ପାଣି ଭରି ଯାଇଥିବା କହିଛନ୍ତି ପୂଜାରୀ ମହାଶୟ ।

ରାମ ମନ୍ଦିରର ମୁଖ୍ୟ ପୂଜାରୀ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ, ବର୍ଷା ଯୋଗୁଁ ମନ୍ଦିର ଭିତରେ ମଧ୍ୟ ପାଣି ପଶିଯାଉଛି । ମନ୍ଦିର ଭିତରେ ପାଣି ବାହାର କରିବା ପାଇଁ କୌଣସି ଜାଗା ନଥିବା ବେଳେ ବର୍ଷା ହେଲେ ମନ୍ଦିର ଭିତରେ ପାଣି ଗଳୁଛି । ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ ହେବା ଉଚିତ୍ । ୨ ଦିନ ମଧ୍ୟରେ ସମସ୍ୟା ସମାଧାନ କରିବା ପାଇଁ ସେ ଦାବି କରିଛନ୍ତି । କାରଣ ଏଥିରେ ବିଳମ୍ବ ହେଲେ, ମନ୍ଦିରରେ ପୂଜାର୍ଚ୍ଚନା କରିବା ମଧ୍ୟ କଷ୍ଟକର ହୋଇପଡ଼ିବ ବୋଲି କହିଛନ୍ତି ପୂଜାରୀ ଶ୍ରୀ ଦାସ । ତେବେ ନିର୍ମାଣ କାର୍ଯ୍ୟରେ କେଉଁଠି ତ୍ରୁଟି ରହିଛି କିମ୍ବା ଅଭାବ ରହିଛି, ସେ ନେଇ ତର୍ଜମା କରିବା ଉଚିତ୍ । ଏବଂ ଭୁଲକୁ ବାହାର କରି ବର୍ଷା ଆରମ୍ଭ ହେବା ପୂର୍ବରୁ ଏହାର ସମାଧାନ କରିବାକୁ ପୂଜାରୀ ଦାବି କରିଛନ୍ତି ।

ସେପଟେ ରାମ ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା କହିଛନ୍ତି ଯେ, “ମୁଁ ଅଯୋଧ୍ୟାରେ ଅଛି, ପ୍ରଥମ ମହଲାରୁ ବର୍ଷାପାଣି ଗଳୁଥିବା ମୁଁ ଦେଖିଛି । ତେବେ ଏପରି ହେବା ମଧ୍ୟ ସ୍ୱାଭାବିକ, କାରଣ ଗୁରୁ ମଣ୍ଡପ ଦ୍ୱିତୀୟ ମହଲା ଭାବରେ ଆକାଶରେ ସହ ସମ୍ପର୍କିତ ହୋଇ ରହିଛି । ମନ୍ଦିରର ଶିଖର ସମାପ୍ତ ହେବା ପରେ ଏହି ସମସ୍ୟାର ସମାଧାନ ହୋଇପାରିବ ।”

Get real time updates directly on you device, subscribe now.