fbpx

‘ଆଜି ପୃଥିବୀରେ ଶେଷ ଦିନ…’ କହି ଦୁନିଆ ଛାଡ଼ିଦେଲେ ପ୍ରେମୀଯୁଗଳ

ନୱାଡା: ବିହାରର ନାଲନ୍ଦାରୁ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ମଧ୍ୟ ଚକିତ ହୋଇଯିବେ । ତେବେ ମଙ୍ଗଳବାର ସକାଳେ ନାଲନ୍ଦା ଜିଲ୍ଲାର ବିହାର ଥାନା ଅର୍ନ୍ତଗତ ଏକ ହୋଟେଲରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୁହିଁଙ୍କୁ ଚିହ୍ନଟ ପରେ ଜଣାପଡି ଯେ, ଯୁବକ ଜଣକ ନୱାଡ଼ାର ବାସିନ୍ଦା ଥିବା ବେଳେ ଯୁବତୀ ଜଣକ ଲଖିସରାୟରେ ରହୁଥିଲେ । ଆଶ୍ଚର୍ଯ୍ୟକର କଥା ହେଉଛି କି, ଆତ୍ମହତ୍ୟା ପୂର୍ବରୁ ୨୨ ବର୍ଷୀୟ ଯୁବକ ରକି ନିଜ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରି ଲେଖିଥିଲେ ଯେ, ଆଜି ପୃଥିବୀରେ ସେମାନଙ୍କର ଶେଷ ଦିନ ।

୨୨ ବର୍ଷୀୟ ରକି ନୱାଡା ଜିଲ୍ଲାର କାଶୀଚକ ପୋଲିସ ଷ୍ଟେସନ ଅଧୀନରେ ଥିବା ମାଧପୁର ଗାଁର ବାସିନ୍ଦା ତୁନ୍ନା ମହତୋଙ୍କ ପୁଅ ଥିଲେ । ତାଙ୍କର ୧୯ ବର୍ଷୀୟା ପ୍ରେମିକା ସୋନମ କୁମାରୀ ଲଖିସରାୟରେ ରହୁଥିଲେ । ଘଟଣା ପରେ ଘରଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଗ୍ରାମବାସୀଙ୍କ କହିବା ମୁତାବକ, ରକି ଓ ସୋନମଙ୍କ ପ୍ରେମ ସମ୍ପର୍କ ଦୀର୍ଘ ଦିନ ଧରି ଚାଲିଥିଲା । ଏକ ମାସ ପୂର୍ବରୁ ରକି ଆସାନସୋଲରୁ ସୋନମଙ୍କ ସହ ପଳାଇଯାଇଥିଲେ । ପରିବାର ଲୋକେ ମନାଇବା ପରେ ଦୁହେଁ ଘରକୁ ଆସିଥିଲେ ।

ମୃତକଙ୍କ ପରିବାର ସଦସ୍ୟ କହିଛନ୍ତି ଯେ, ଜୁଲାଇ ୩ ରେ ଗାଁ ଝିଅର ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରକି ଖଡ଼ଗପୁର ଯାଇଥିଲେ । ଜୁଲାଇ ୬ ରେ ବିବାହ ସରିବା ପରେ ସେ ନିଜ ସାଥୀଙ୍କ ସହ ସେଠାରୁ ଚାଲିଆସିଥିଲେ, କିନ୍ତୁ ଘରକୁ ଆସିବା ପରିବର୍ତ୍ତେ ସେ ଆସାନସୋଲରେ ରହିଲେ । ସେଠାରେ ସେ ସୋନମଙ୍କ ସହ ଯୋଗାଯୋଗ କରିଥିଲେ । ସଡ଼କ ରାସ୍ତାରେ ଆସାନସୋଲରୁ ପାଟନାକୁ ଟିକେଟ ନେଇଥିଲେ, କିନ୍ତୁ ପାଟନାରେ ପହଞ୍ଚିବା ପୂର୍ବରୁ ସେମାନେ ଗତ ସୋମବାର ଦିନ ପ୍ରାୟ ୬ ରୁ ୭ ଟା ସମୟରେ ବିହାର ସରିଫରେ ଓହ୍ଲାଇ ଏକ ହୋଟେଲକୁ ଯାଇଥିଲେ ।

ମଙ୍ଗଳବାର ସକାଳେ ହୋଟେଲ ରୁମରେ ଉଭୟଙ୍କ ମୃତଦେହ ମିଳିଥିଲା । ସୋମବାର ବିଳମ୍ବିତ ରାତି ପ୍ରାୟ ୭ଟା ୪୫ ସମୟରେ ରକି ତାଙ୍କ ଫେସବୁକ୍ ଆକାଉଣ୍ଟରୁ ଫଟୋ ସେୟାର କରି ଲେଖିଥିଲେ ଯେ, ଆଜି ପୃଥିବୀରେ ଆମର ଶେଷ ଦିନ । ବର୍ତ୍ତମାନ ଏହି ଘଟଣା ପରେ ରକିଙ୍କ ଗାଁରେ ଶୋକର ଲହରୀ ଦେଖିବାକୁ ମିଳିଛି । ମୃତକଙ୍କ ମା ଓ ପରିବାର ଲୋକେ କାନ୍ଦି କାନ୍ଦି ଘର ଫଟାଉଥିବା ବେଳେ ପୋଲିସ ଉଭୟ ମୃତଦେହର ପୋଷ୍ଟମର୍ଟମ କରି ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି ।

Get real time updates directly on you device, subscribe now.