fbpx

(Video) CSK ଶିବିରରେ ପହଞ୍ଚିଲେ ବେନ ଷ୍ଟୋକ୍ସ: ମାହିଙ୍କ ନେତୃତ୍ୱରେ ଖେଳିବେ ପ୍ରଥମ 

ଚେନ୍ନାଇ: ଆଇପିଏଲ-୨୦୨୩କୁ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି । ଏଥିପାଇଁ ସମସ୍ତ ଦଳର ଖେଳାଳି ଆରମ୍ଭ କରିଛନ୍ତି ନିଜ ନିଜର ପ୍ରସ୍ତୁତି । ତେବେ ଏହା ମଧ୍ୟରେ ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ବର୍ତ୍ତମାନ ସିଏସକେ ଶିବିରରେ ପହଞ୍ଚିଛନ୍ତି । ତାଙ୍କ ସହିତ ସାଥୀ ଖେଳାଳି ମୋଇନ ଅଲୀ ମଧ୍ୟ ଦଳ ସହତ ଯୋଡି ହୋଇଛନ୍ତି । ଚେନ୍ନାଇ ଜର୍ସିରେ ବେନ ଷ୍ଟୋକ୍ସଙ୍କୁ ଦେଖିବା ପାଇଁ ଫ୍ୟାନ୍ସମାନଙ୍କ ଉତ୍ସାହ ବଢିବାରେ ଲାଗିଛି । ତେବେ ଆଇପିଏଲରେ ପୂର୍ବରୁ ଉଭୟ ଖେଳାଳି ଏକାଠି ଖେଳିସାରିଥିଲେ ମଧ୍ୟ ପ୍ରଥମ ଥର ଧୋନିଙ୍କ ନେତୃତ୍ୱରେ ଆଇପିଏଲ ଖେଳିବେ ବେନ ଷ୍ଟୋକ୍ସ ।

ଆଇପିଏଲ ୨୦୨୩ ନିଲାମୀରେ ଚେନ୍ନାଇ କିଣିଥିବା ସବୁଠାରୁ ବଡ ଖେଳାଳି ହେଉଛନ୍ତି ବେନ ଷ୍ଟୋକ୍ସ । ଚଳିତବର୍ଷ ସେ ଧୋନୀଙ୍କ ନେତୃତ୍ୱରେ ଆଇପିଏଲ ଖେଳୁଥିବାର ନଜର ଆସିବେ । ଏଥିପାଇଁ ଆଜି ମୋଇନ ଅଲୀଙ୍କ ସହ ସେ ଚେନ୍ନାଇର ଶିବିରରେ ଯୋଗ ଦେଇଛନ୍ତି । ତେବେ ପୂର୍ବରୁ ସେ ଧୋନୀଙ୍କ ସହ ଆଇପିଏଲ ଖେଳିଛନ୍ତି ସତ, କିନ୍ତୁ ଧୋନୀ ଏହି ଦଳର ଅଧିନାୟକ ନଥିଲେ । ୨୦୧୬ ଏବଂ ୧୭ ମସିହାରେ ଚେନ୍ନାଇ ସୁପର କିଙ୍ଗସ ଉପରେ ବ୍ୟାନ ଲାଗିଥିବା ବେଳେ ଧୋନୀ ରାଇଜିଙ୍ଗ ପୁଣେ ସୁପରଜିଆଣ୍ଟସ ତରଫରୁ ଖେଳିଥିଲେ । ୨୦୧୭ ମସିହାରେ ବେନ ଷ୍ଟୋକ୍ସଙ୍କୁ ୧୪.୫ କୋଟିରେ ନିଜ ଦଳରେ ସାମିଲ କରିଥିଲା ଆରପିଏସ । ଏହି ସିଜନରେ ଧୋନୀ ଏବଂ ବେନ ଷ୍ଟୋକ୍ସଙ୍କ ଯୁଗଳବନ୍ଦୀ ଦେଖିବାକୁ ମିଳିଥିଲା । କିନ୍ତୁ ୨୦୧୮ରେ ସେ ପୁଣି ଥରେ ଧୋନୀଙ୍କଠୁ ଅଲଗା ହୋଇଯାଇଥିଲେ ।

ତେବେ ୨୦୨୩ ଆଇପିଏଲ ପାଇଁ ଚେନ୍ନାଇ ଷ୍ଟୋକ୍ସଙ୍କୁ ୧୬.୨୫କୋଟି ଟଙ୍କାରେ ଦଳରେ ସାମିଲ କରିଛି । ଏହି ସିଜନରେ ଧୋନୀ ଚେନ୍ନାଇର ନେତୃତ୍ୱ ନେବେ ଏବଂ ବେନ ଷ୍ଟୋକ୍ସ ପ୍ରଥମ ଥର ଧୋନୀଙ୍କ ନେତୃତ୍ୱରେ ଆଇପିଏଲ ଖେଳିବାର ସୁଯୋଗ ପାଇଛନ୍ତି । ତେବେ ଏହା ଧୋନୀଙ୍କର ଶେଷ ଆଇପିଏଲ ସିଜନ ବୋଲି କୁହାଯାଉଥିବା ବେଳେ ଧୋନୀଙ୍କ ପରେ ବେନ ଷ୍ଟୋକ୍ସ ଏହି ଦଳର ଅଧିନାୟକ ଭାର ସମ୍ଭାଳିପାରନ୍ତି ।

Get real time updates directly on you device, subscribe now.