fbpx

୨୦୨୪ ନିର୍ବାଚନ ଲଢ଼ିପାରିବେନି ରାହୁଲ? ଇନ୍ଦିରା ଓ ସୋନିଆ ବି ହରାଇଥିଲେ ସଦସ୍ୟତା

ନୂଆଦିଲ୍ଲୀ: ମୋଦୀ ସରନେମ ମାମଲାକୁ ନେଇ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଲାଗିଛି ବଡ଼ ଝଟକା । ସୂରତ ସେଶନ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଆଜି ରାହୁଲଙ୍କର ଲୋକସଭା ସଦସ୍ୟତା ରଦ୍ଦ ହୋଇଯାଇଛି । ଏହାଫଳରେ ରାହୁଲ ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବା ନେଇ ମୁସ୍କିଲ ବଢ଼ିଯାଇଛି । ତେବେ କେବଳ ରାହୁଲ ନୁହନ୍ତି ପୂର୍ବରୁ ଗାନ୍ଧି ପରିବାର ଅନ୍ୟ ସଦସ୍ୟ ଇନ୍ଦିରା ଓ ସୋନିଆ ମଧ୍ୟ ବିଭିନ୍ନ ପରିସ୍ଥିତିରେ ନିଜର ସଦସ୍ୟତା ହରାଇଥିଲେ ।

ରାହୁଲ କେରଳର ୱାୟନାଡ଼ ଲୋକସଭା ଆସନରୁ ସାଂସଦ ଥିଲେ । ତେଣୁ ଏବେ ପ୍ରଶ୍ନ ଉଠୁଛି, ରାହୁଲଙ୍କ ସାଂସଦ ପଦ ହରାଇବା ପରେ ଏବେ ଉକ୍ତ ଆସନରେ ଉପନିର୍ବାଚନ ହେବ କି? ତେବେ ରାହୁଲଙ୍କ ପାଇଁ ସବୁ ରାସ୍ତା ବନ୍ଦ ହୋଇ ନାହିଁ । ଉପର କୋର୍ଟରୁ ଯଦି ତାଙ୍କୁ ଆଶ୍ୱସ୍ତି ମିଳେ ତେବେ ସେ ତାଙ୍କର ସଭ୍ୟ ପଦ ପୁଣି ଥରେ ଫେରି ପାରନ୍ତି । ଏହା ପୂର୍ବରୁ ମଧ୍ୟ କିଛି ସାଂସଦ ନିଜର ସଭ୍ୟ ପଦ ହରାଇବା ପରେ ପରବର୍ତ୍ତୀ ସମୟରେ ପୁଣି ଥରେ ନିଜର ପଦ ଫେରି ପାଇଥିବାର ଉଦାହରଣ ରହିଛି ।

ତେବେ ନିଜର ସଦସ୍ୟତା ବଜାୟ ରଖିବା ପାଇଁ ରାହୁଲଙ୍କ ନିକଟରେ ଅନେକ ବିକଳ୍ପ ରହିଛି । ସେ ଏ କ୍ଷେତ୍ରରେ ଆଶ୍ୱସ୍ତି ପାଇବା ପାଇଁ ହାଇକୋର୍ଟରେ ଚ୍ୟାଲଞ୍ଜ କରିପାରିବେ । ଏପରି ସ୍ଥଳେ ଉପର କୋର୍ଟ ସୂରତ ସେଶନ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ଥଗିତ ରଖିପାରନ୍ତି । ତା’ପରେ ରାହୁଲଙ୍କର ସଦସ୍ୟତା ବଜାୟ ରହିପାରେ । ଯଦି ହାଇକୋର୍ଟ ମାମଲାକୁ ଷ୍ଟେ ନ ରଖିବେ ତେବେ ଏହା ପରେ ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପାରନ୍ତି । ଯଦି ସୁପ୍ରିମକୋର୍ଟରୁ ଷ୍ଟେ ନ ମିଳେ, ତେବେ ରାହୁଲଙ୍କ ପାଇଁ ସବୁ ରାସ୍ତା ବନ୍ଦ ହୋଇପାରେ ଓ ସେ ସଦସ୍ୟତା ହରାଇପାରନ୍ତି । ଏ ବାବଦରେ କୋର୍ଟଙ୍କ ନିଷ୍ପତ୍ତି ବଦଳିବ ଓ ରାହୁଲ ଆହୁରି ଶକ୍ତିଶାଳୀ ହୋଇ ପାରିବେ ବୋଲି କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି ।

ରାଜନୀତିକୁ ଅପରାଧୀକରଣରୁ ରୋକିବା ପାଇଁ ଗତ ୨୦୧୮ ମସିହା ସେପ୍ଟେମ୍ବର ୨୫ରେ କୋର୍ଟ ଏକ ଆଦେଶ ଜାରି କରିଥିଲେ । ଉକ୍ତ ଆଇନ ଅନୁଯାୟୀ କୋର୍ଟ ଦ୍ୱାରା ଦୋଷୀ ଘୋଷିତ ହୋଇଥିବା ରାଜନେତା ନିର୍ବାଚନ ଲଢ଼ିପାରିବେ ନାହିଁ । ତେବେ ଯେଉଁ ନେତାଙ୍କ ବିରୋଧରେ କେବଳ ମକଦ୍ଦମା ଚାଲିଥିବ, ସେମାନେ ନିର୍ବାଚନ ଲଢ଼ିପାରିବେ ବୋଲି ଉକ୍ତ ଆଇନରେ ଉଲ୍ଲେଖ ରହିଥିଲା ।

ସୂଚନାଯୋଗ୍ୟ ଯେ, ଜନପ୍ରତିନିଧି ଆଇନ ୧୯୫୧ର ଧାରା ୮ (୧) ଓ (୨) ମୁତାବକ, ଯଦି ଜଣେ ସାଂସଦ କି ବିଧାୟକ କୌଣସି ମାମଲାରେ ୨ ବର୍ଷରୁ ଅଧିକ ସମୟ ପାଇଁ ସଜ୍ଜା କାଟନ୍ତି, ତେବେ ତାଙ୍କର ସଂସଦ ଓ ବିଧାନସଭାର ସଭ୍ୟ ପଦ ରଦ୍ଦ ହୋଇଯିବ । ଏହି ମାମଲା ଅଧିନରେ ହତ୍ୟା, ଦୁଷ୍କର୍ମ, ଧର୍ମ, ଭାଷା ବା ଆଞ୍ଚଳିକ ଆଧାରରେ ଶତ୍ରୁତା ସୃଷ୍ଟି କରିବା, ଆତଙ୍କବାଦୀ ଗତିବିଧି ବା ସମ୍ବିଧାନର ଅପମାନ କରିବା ପରି ଅପରାଧ ସବୁ ସାମିଲ ରହିଛି । କେବଳ ଏତିକି ନୁହେଁ, ଦଣ୍ଡାଦେଶ ସରିବା ପରେ ୬ ବର୍ଷ ପାଇଁ ଉକ୍ତ ଜନପ୍ରତିନିଧି ନିର୍ବାଚନ ଲଢ଼ିବା ନେଇ ଅଯୋଗ୍ୟ ହୋଇ ପାରନ୍ତି ।

ଗତ ୨୦୧୯ ମସିହାରେ କର୍ଣ୍ଣାଟକ ଗସ୍ତ ଅବସରରେ ‘ସବୁ ଚୋରଙ୍କର ମୋଦୀ ସରନେମ କାହିଁକି ରହିଛି’ ବୋଲି ରାହୁଲ ବୟାନ ଦେଇଥିଲେ । ରାହୁଲଙ୍କ ଏହି ବୟାନକୁ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ମାମଲା ଦାୟର କରିଥିଲେ । ୪ ବର୍ଷ ତଳର ଉକ୍ତ ମାମଲାର ନିଷ୍ପତ୍ତି ଆଜି ରାହୁଲଙ୍କ ରାଜନୈତିକ ଭବିଷ୍ୟତକୁ ଅନ୍ଧମାଳ ମଧ୍ୟକୁ ଠେଲି ଦେଇଛି । ସୂରତ ସେଶନ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷର ଦଣ୍ଡାଦେଶ ଶୁଣାଇବା ପରେ ସଙ୍ଗେସଙ୍ଗେ ୩୦ ଦିନ ପାଇଁ ଜାମିନ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.