fbpx

ଗରିବଙ୍କୁ ପୂଜା ଉପହାର ଦେଲେ ନବୀନ: ଆଉ ତିନି ମାସ ପାଇଁ ମିଳିବ ଅତିରିକ୍ତ ମାଗଣା ଚାଉଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଶହରାରେ ରାଜ୍ୟର ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୩ ମାସ ପାଇଁ ଅତିରିକ୍ତ ମାଗଣା ଚାଉଳ ମିଳିବ । ହିତାଧିକାରୀଙ୍କୁ ଅତିରିକ୍ତ ୫ କେଜି ଲେଖାଏଁ ଚାଉଳ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ହିତାଧିକାରୀଙ୍କ ପାଇଁ ପୂଜା ଭେଟି ସଦୃଶ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାର ବେନିଫିଟ ରାଜ୍ୟର ୨.୯୨ ଲକ୍ଷ ପରିବାରର ୯.୦୫ ଲକ୍ଷ ହିତାଧିକାରୀ ପାଇବେ । ଚଳିତ ଅକ୍ଟୋବର, ଆସନ୍ତା ନଭେମ୍ବର ଓ ଡିସେମ୍ବର ଏହି ତିନି ମାସରେ ହିତାଧିକାରୀଙ୍କୁ ମୁଣ୍ଡ ପିଛା ମାସିକ ୫ କେଜି ଲେଖାଏଁ ଅତିରିକ୍ତ ମାଗଣା ଚାଉଳ ପ୍ରଦାନ କରାଯିବ । ଏଥିପାଇଁ ରାଜ୍ୟ ସରକାର ହିତାଧିକାରୀଙ୍କୁ ମୋଟ ୧୩,୫୭୫ ମେଟ୍ରିକ୍ ଟନ୍ ଚାଉଳ ଯୋଗାଇଦେବ । ଏଥିରେ ରାଜକୋଷରୁ ମୋଟ ୪୯ କୋଟି ଟଙ୍କା ଖର୍ଚ୍ଚ ହେବ ।

ଗତ ଏପ୍ରିଲ ମାସରେ ରାଜ୍ୟ ସରକାର ହିତାଧିକାରୀଙ୍କୁ ଆଉ ୬ ମାସର ଅତିରିକ୍ତ ମାଗଣା ଚାଉଳ ମିଳିବା ନେଇ ଘୋଷଣା କରିଥିଲେ । ଉକ୍ତ ଘୋଷଣାର ଫାଇଦା ସ୍ୱରୂପ ହିତାଧିକାରୀଙ୍କୁ ଗତ ଏପ୍ରିଲରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବେନିଫିଟ୍ ମିଳିଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ଉକ୍ତ ନିର୍ଦ୍ଦେଶ ପରେ ରାଜ୍ୟର ୮.୯ ଲକ୍ଷ ହିତାଧିକାରୀ ଉପକୃତ ହୋଇଥିଲେ । ରାଜକୋଷରୁ ମୋଟ ୯୧.୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

Get real time updates directly on you device, subscribe now.