fbpx

ପାଠ ଭୟରେ ୮ ବର୍ଷର ଝିଅ କହିଲା ମିଛ, ପିଟା ଖାଇଲେ ଡେଲିଭରୀ ବୟ

ବାଙ୍ଗାଲୁର: ଆମେ ଘରେ ବସି ଅନଲାଇନ୍ ରେ ଖାଦ୍ୟ ବୁକ୍ କରିଦେଲେ ମାତ୍ର କିଛି ସମୟ ମଧ୍ୟରେ ଆମ ଘରେ ଖାଦ୍ୟ ପହଞ୍ଚି ଯାଉଛି । ଏ କ୍ଷେତ୍ରରେ ଅନଲାଇନ୍ କମ୍ପାନୀ କାମ କରୁଥିବା ବେଳେ ବହୁ ଯୁବକ ଏହିସବୁ କମ୍ପାନୀରେ ଏଜେଣ୍ଟ ଭାବରେ ନିୟୋଜିତ ହୋଇ ଗ୍ରାହକଙ୍କ ଡିମାଣ୍ଡ ଅନୁଯାୟୀ ସେମାନଙ୍କ ପସନ୍ଦର ହୋଟେଲରୁ ଖାଦ୍ୟ ନେଇ ଘରେ ପହଞ୍ଚାଉଛନ୍ତି । ଏହି ଏଜେଣ୍ଟମାନଙ୍କୁ ଫୁଡ୍ ଡେଲିଭରୀ ବୟ କୁହାଯାଏ । ତେବେ ବାଙ୍ଗାଲୋରରେ ଏହି ଫୁଡ୍ ଡେଲିଭରୀକୁ ନେଇ ଘଟିଯାଇଛି ଏକ ଅଭାବନୀୟ ଘଟଣା ।
ଘଟଣାଟି ହେଉଛି ଏକ ୮ ବର୍ଷ ଝିଅର ମିଛି ଅଭିଯୋଗକୁ ନେଇ ଜଣେ ଡେଲିଭରୀ ଏଜେଣ୍ଟଙ୍କୁ ଭୀଷଣ ମାଡ ଖାଇବାକୁ ପଡିଛି । ଝିଅଟି ତାର ମା ବାପାଙ୍କୁ କହିଥିଲା ଯେ, ଡେଲିଭରୀ ବୟ ତାଙ୍କୁ ଜବରଦସ୍ତ ଛାତ ଉପରକୁ ନେଇ ଯାଇଥିଲା । ଝିଅଟିର କଥା ଶୁଣିବା ପରେ ହାଉସିଂ ସୋସାଇଟିର ଲୋକମାନଙ୍କ ସହିତ ସୁରକ୍ଷା କର୍ମୀ ଡେଲିଭରୀ ବୟଙ୍କୁ ଅତ୍ୟନ୍ତ ନିର୍ମମ ଭାବରେ ପିଟିଥିଲେ । କିନ୍ତୁ ପରେ ସିସିଟିଭି କ୍ୟାମେରାରୁ ଜଣାପଡିଥିଲା ଯେ, ଝିଅଟି ଏକାକୀ ଛାତ ଉପରକୁ ଯାଇ ଖେଳୁଥିଲା ।
ମିଳିଥିବା ସୂଚନା ଅନୁଯାୟୀ ପିଲାର ମା ବାପା ତାକୁ ଖୋଜି ଖୋଜି ଯାଇ ଛାତ ଉପରେ ପହଞ୍ଚି ଯାଇଥିଲେ । ଝିଅଟି କହିଥିଲା ଫୁଡ୍ ଡେଲିଭରୀ ବୟ ତାଙ୍କୁ ଏଠାକୁ ଆଣି ଆସିଥିଲା । ଏହାପରେ ଝିଅଟିର ମା ବାପା ରାଗିଯାଇ ତୁରନ୍ତ ସୁରକ୍ଷାରେ ଥିବା ଗାର୍ଡଙ୍କୁ ଡାକିଥିଲେ । ଏହାପରେ ଆପାର୍ଟମେଣ୍ଟ ଗେଟ୍ ବନ୍ଦ କରି ଦେଇଥିଲେ । ଝିଅଟି କ୍ୟାମ୍ପସରେ ଥିବା ଏକ ଡେଲିଭରୀ ଏଜେଣ୍ଟଙ୍କ ଆଡକୁ ଇସାରା କରି ତାଙ୍କ ଉପରେ ଅଭିଯୋଗ ଲଗାଇଥିଲା ।
ପଡୋଶୀମାନେ ତତକ୍ଷଣାତ୍ ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ । କିନ୍ତୁ ପୋଲିସ ପହଞ୍ଚିବା ପୂର୍ବରୁ ସେମାନେ ଯୁବକଙ୍କୁ ନିର୍ଦ୍ଧୁମ ପିଟିଥିଲେ । ପୋଲିସ ପହଞ୍ଚି ସିସି ଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଜଣାପଡିଥିଲା ଝିଅଟି ତାର ମା ବାପାଙ୍କୁ ମିଛ କହିଛି । ଝିଅଟି କାହିଁକି ମିଛ କହିଲା ବୋଲି ପୋଲିସ ପଚାରିବାରୁ ସେ କହିଥିଲା ପଢା ସମୟରେ ସେ ଖେଳିବାକୁ ଯାଇଥିବାରୁ କାଳେ ତା ବାପାମା ତାକୁ ବାଡେଇବେ ସେଥିପାଇଁ ସେ ମିଛ କହିଥିଲା । ଏବେ ସତ ସାମ୍ନାକୁ ଆସିବା ପରେ ଝିଅର ମା ବାପା ଡେଲିଭରୀ ବୟକୁ କ୍ଷମା ମାଗିଛନ୍ତି ।

 

Get real time updates directly on you device, subscribe now.