ନୂଆଦିଲ୍ଲୀ: ବେଙ୍ଗାଲୁରୁର AI ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମମଲାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ମୃତ ଅତୁଲଙ୍କ ସ୍ତ୍ରୀଙ୍କ ସମେତ 3 ଜଣଙ୍କୁ ଗିରଫ କରିଛି ପୋଲିସ । ପତ୍ନୀ ନିକିତାଙ୍କୁ ଗୁରୁଗ୍ରାମରୁ ଗିରଫ କଲା ପୋଲିସ । ତେବେ ନିକିତାଙ୍କ ସମେତ ତାଙ୍କ ମାଆ ନିଶା ସିଘାଂନିଆ ଏବଂ ଭାଇକୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡିଛି । ପ୍ରକାଶଥାଉକି, ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ହେଇ ଆତ୍ମହତ୍ୟା କରିଥିବା ନେଇ ମୃତ୍ୟୁ ପୂର୍ବରୁ ଭିଡିଓ କରିଥିଲେ ଅତୁଲ । ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ ।
ସମସ୍ତ ତିନି ଜଣଙ୍କୁ ବେଙ୍ଗାଲୁରୁ ଆଣି କୋର୍ଟରେ ହାଜର କରାଯାଇଥିବା ବେଳେ ସେମାନଙ୍କୁ କୋର୍ଟ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ଅତୁଲଙ୍କର ମୃତ୍ୟୁ ପରେ ତାଙ୍କ ଭାଇ 4 ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲେ । ଅତୁଲଙ୍କ ପତ୍ନୀ, ଶାଶୁ, ଶାଳକ ଏବଂ ଜଣେ ବିଚାରପତିଙ୍କ ନାଣରେ ଏତଲା ଦିଆଯାଇଥିଲା । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
କହିରଖୁଛୁ କି, ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ ଓ ଦେଢ ଘଣ୍ଟାର ଭିଡିଓ ମେସେଜ୍ ଛାଡି ଜୀବନ ହାରିଥିଲେ ଅତୁଲ । ତାଙ୍କ ପତ୍ନୀ ନିକିତା ଏକାଥରକେ ଛାଡ଼ପତ୍ର ସେଟେଲମେଣ୍ଟ ପାଇଁ ୩ କୋଟି ଟଙ୍କା ଦାବି କରୁଥିଲେ। ଯାହାକୁ ନେଇ ମାନସିକ ଚାପରେ ରହୁଥିଲେ ଅତୁଲ। ଅନ୍ୟପଟେ ଶାଳକ ଏବଂ ଶାଶୁମଧ୍ୟ ମିଛ କେସରେ ତାଙ୍କୁ ଫସାଇବା ପାଇଁ ଚେଷ୍ଟା କରୁଥିବା କଥା ସେ ମୃତ୍ୟୁ ପୂର୍ବରୁ କହିଥିଲେ । ସେହିପରି ଜଣେ ବିଚାରପତି ମଧ୍ୟ ତାଙ୍କୁ ଏହି କାମରେ ସାହାଯ୍ୟ କରିଥିବା କଥା କହିଥିଲେ । ସମସ୍ତଙ୍କ ଘଟଣାକୁ ଦୃଷ୍ଟିରେ ରଖି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।