ବ୍ରହ୍ମପୁର ମେୟରଙ୍କୁ ଧମକପୂର୍ଣ୍ଣ କଲ୍, ପୂର୍ବତନ ଯନ୍ତ୍ରୀଙ୍କ ନାଁରେ ଥାନାରେ ଏତଲା

ବ୍ରହ୍ମପୁର: ବ୍ରହ୍ମପୁର ମେୟରଙ୍କୁ ହତ୍ୟା ଧମକ । ମେୟର ସଂଘମିତ୍ରା ଦଳାଇଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ବିଏମସିର ପୂର୍ବତନ ଯନ୍ତ୍ରୀ ଧମକ ଦେଇଥିବା ନେଇ ସେ କହିଛନ୍ତି । ଫୋନରେ ବିଏମସିର ପୂର୍ବତନ ଯନ୍ତ୍ରୀ ଲଳିତ ମୋହନ ଦାସ ଧମକ ଦେଇଥିବା ନେଇ ସେ ଟାଉନଥାନର ଦ୍ବାରସ୍ଥ ହୋଇଛନ୍ତି ।

ଖବର ଅନୁସାରେ, ଗତ 29 ତାରିଖରେ ମେୟର ସଂଘମିତ୍ରା ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ଅନେକ କର୍ପୋରେଟର ମଧ୍ୟ ଉପସ୍ଥିତ ରହିଥିଲେ । ସେହିସମୟରେ ମେୟରଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଥିଲା । ତେବେ ବ୍ୟକ୍ତିଜଣକ ପ୍ରଥମେ ଭାଷା ଲଗାଇ ଗାଳିଗୁଲଜ କରିବା ସହିତ ଧମକ ଦେଇଥିଲେ । ଏନେଇ ମେୟର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମୋବାଇଲ ନମ୍ବରକୁ ଟ୍ରାକ କରି ଏହା ପୂର୍ବତନ ଯନ୍ତ୍ରୀଙ୍କର କାରନାମା ବୋଲି ଜାଣିବାକୁ ପାଇଥିଲା ।

ପୋଲିସ ଲଳିତ ମୋହନ ଦାସଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣ ପାଇଁ ତାଙ୍କୁ ଧମକ ଦିଆଯାଇଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ତଦନ୍ତ ଶେଷ ହେବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ । ଅନ୍ୟପଟେ ପୂର୍ବତନ ଯନ୍ତ୍ରୀ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।