fbpx

ବିଧାୟକଙ୍କ ପେନସନ ଉପରେ ଭଗୱନ୍ତ ମାନଙ୍କ ବଡ ନିଷ୍ପତ୍ତି, କେବଳ ଗୋଟିଏ କାର୍ଯ୍ୟକାଳର ମିଳିବ ଫାଇଦା

ଚଣ୍ଡିଗଡ : କ୍ଷମତା ସମ୍ଭାଳିବା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଗୋଟିଏ ପରେ ଗୋଟିଏ ବଡ ନିଷ୍ପତ୍ତି ନେଉଛନ୍ତି । ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଶୁକ୍ରବାର ବିଧାୟକଙ୍କ ପେନସନ ଫର୍ମୁଲାରେ ପରିବର୍ତ୍ତନ ଘୋଷଣା କରିଛନ୍ତି । ଏବେ ବିଧାୟକଙ୍କୁ ଗୋଟିଏ ପେନସନ ମିଳିବ । ଏ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଯେତେ ଥର ବିଧାୟକ ହେଉଥିଲେ, ସେମାନଙ୍କ ପେନସନ ରାଶି ସେହି ହିସାବରେ ବଢି ଚାଲିଥିଲା ।

ଭଗୱନ୍ତ ମାନ କହିଛନ୍ତି ଦେଶ ଏବଂ ରାଜ୍ୟରେ ବେରୋଜଗାରୀ ସବୁଠୁ ବଡ ପ୍ରସଙ୍ଗ । ଯୁବ ବର୍ଗ ଡିଗ୍ରୀ ଧରି ଘରେ ବସିଛନ୍ତି । ଯେଉଁମାନେ ଚାକିରି ମାଗୁଛନ୍ତି ସେମାନଙ୍କୁ ଲାଠିଚାର୍ଜ କରାଯାଉଛି । ସେମାନଙ୍କ ଉପରେ ପାଣିମାଡ କରାଯାଉଛି । ସେମାନଙ୍କୁ ଚାକିରି ଖଣ୍ଡିଏ ମିଳୁନାହିଁ । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ବଡ ବଡ ପଦକ୍ଷେପ ନିଆଯାଉଥିବା ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି ।

ସେ କହିଛନ୍ତି ବିଧାୟକମାନେ ହାତ ଯୋଡି ଭୋଟ୍ ମାଗିଥାନ୍ତି । ମାତ୍ର ବହୁତ ବିଧାୟକ ତିନି ଥର, ଚାରି ଥର ଏପରିକି ଛଅ ଥର ନିର୍ବାଚନ ଜିତିଛନ୍ତି । ସେମାନଙ୍କୁ ସବୁ କାର୍ଯ୍ୟକାଳର ମିଶାଇ ପ୍ରତି ମାସରେ ଲକ୍ଷାଧିକ ଟଙ୍କାର ପେନସନ ମିଳିଥାଏ । କାହାକୁ ୫ ଲକ୍ଷ ତ କାହାକୁ ୪ ଲକ୍ଷ ଟଙ୍କା ପେନସନ ଭାବେ ମିଳିଥାଏ । କିଛି ଲୋକ ଏମିତି ଯେଉଁମାନେ ପ୍ରଥମେ ସାଂସଦ ରହିଛନ୍ତି ଏବଂ ପରେ ବିଧାୟକ ହୋଇଛନ୍ତି । ସେମାନଙ୍କୁ ଉଭୟ ପଟୁ ପେନସନ ମିଳୁଛି । ତେଣୁ ଏମିତିରେ ପଞ୍ଜାବ ସରକାର ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି ।

ସେ କହିଛନ୍ତି, ପ୍ରାର୍ଥୀ ଯେତେ ଥର ବି ନିର୍ବାଚନ ଜିତି ଥାଆନ୍ତୁ ନା କାହିଁକି ତାଙ୍କୁ ଏବେ କେବଳ ଗୋଟିଏ କାର୍ଯ୍ୟକାଳର ପେନସନ ମିଳିବ । ଅର୍ଥାତ ଯଦି ଜଣେ ପ୍ରାର୍ଥୀ ୨୦୨୨ ବିଧାନସଭା ନିର୍ବାଚନ ଜିତିଛନ୍ତି ଏବଂ ଏହା ପୂର୍ବରୁ ୨୦୧୭ ନିର୍ବାଚନ ଜିିତି ବିଧାୟକ ହୋଇଛନ୍ତି, ସେହି ବ୍ୟକ୍ତିଙ୍କୁ କେବଳ ଗୋଟିଏ କାର୍ଯ୍ୟକାଳରେ ଯେତିକି ଟଙ୍କା ପେନସନ ଭାବେ ମିଳୁଥିଲା ସେତିକି ଟଙ୍କା ମିଳିବ । ଏଥିରେ କୋଟି କୋଟି ଟଙ୍କା ବଞ୍ଚିଯିବ । ଏହି ଅର୍ଥ ରାଶିକୁ ଲୋକଙ୍କ ବିକାଶ ପାଇଁ ଖର୍ଚ୍ଚ କରାଯିବ । ଏହି ପରି ବିଧାୟକଙ୍କ ପରିବାରର ପେନସନରେ ମଧ୍ୟ ହ୍ରାସ କରିବାକୁ ପଞ୍ଜାବ ସରକାର ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.