fbpx

ଭୋଜପୁରୀ ଷ୍ଟାର ହେବେ ମୋଦୀଙ୍କ ଅସ୍ତ୍ର: ନିର୍ବାଚନରେ ବିଜେପି ପକ୍ଷରୁ ଲଢିବେ ୪ ସୁପରଷ୍ଟାର

ଓଡ଼ିଶା ଭାସ୍କର: ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ପ୍ରଥମ ପର୍ଯ୍ୟାୟରେ ୩୪ କେନ୍ଦ୍ରମନ୍ତ୍ରୀଙ୍କ ସହ ଯୁବବର୍ଗ ଏବଂ ମହିଳାଙ୍କ ସମେତ ସମାଜର ପ୍ରତ୍ୟେକ ବର୍ଗକୁ ପ୍ରତିନିଧିତ୍ୱ ମିଳିପାରିଛି । ବିଜେପି ଆଜି ୧୬ ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମୋଟ ୧୯୫ ଜଣ ପ୍ରାର୍ଥି ତାଲିକା ଘୋଷଣା କରିଛି । ଏହି ତାଲିକାରେ ୪ ଜଣ ଭୋଜପୁରୀ ସିନେ ଷ୍ଟାରଙ୍କ ନାମ ମଧ୍ୟ ସାମିଲ ରହିଛି । ଭୋଜପୁରୀ ଷ୍ଟାରଙ୍କୁ ଅସ୍ତ୍ର କରି ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ହୋଇଛି ବିଜେପି ।

ନିର୍ବାଚନ ପାଇଁ ବିଜେପି ତରଫରୁ ସୁପରଷ୍ଟାର ମନୋଜ ତିୱାରୀ, ରବି କିଶନ୍, ଦିନେଶ ଲାଲ(ନିରହୁଆ) ଏବଂ ପୱନ ସିଂହଙ୍କୁ ବିଭିନ୍ନ ଆସନରୁ ଟିକେଟ ମିଳିଛି । ଲୋକସଭା ନିର୍ବାଚନ ପାଇଁ ତାଙ୍କ ଉପରେ ପୁଣିଥରେ ଭରସା କରିଥିବାରୁ ଦଳର ଶୀର୍ଷ ନେତୃତ୍ୱଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ମନୋଜ ତିୱାରୀ । ମନୋଜ ଉତ୍ତର ପୂର୍ବ ଦିଲ୍ଲୀ, ରବି କିଶନ ଗୋରଖପୁର ଏବଂ ନିରହୁଆ ଆଜମଗଢ ଆସନରୁ ନିର୍ବାଚନୀ ଟିକେଟରେ ଲୋକସଭା ସଦସ୍ୟ ରହିଛନ୍ତି । ତେଣୁ ଆଗାମୀ ନିର୍ବାଚନ ପାଇଁ ମଧ୍ୟ ଏହି ସୁପରଷ୍ଟାରଙ୍କୁ ଟିକେଟ ପ୍ରଦାନ କରିଛି ବିଜେପି । ଏହାବ୍ୟତୀତ ପୱନ ସିଂହଙ୍କୁ ନୂଆ ପ୍ରାର୍ଥି ଭାବେ ଘୋଷଣା କରାଯାଇଛି । ପଶ୍ଚିମବଙ୍ଗର ଆସନସୋଲ ସିଟ୍ ପାଇଁ ନିର୍ବାଚନ ଲଢିବାକୁ ପୱନ ସିଂହଙ୍କୁ ଟିକେଟ ଦେଇଛି ଭାରତୀୟ ଜନତା ପାର୍ଟି । ବର୍ତ୍ତମାନ ଏହି ଆସନରେ ଟିଏମସି ଟିକେଟରେ ଅଭିନେତା ତଥା ବିଜେପିର ପୂର୍ବ ନେତା ଶତ୍ରୁଘ୍ନ ସିହ୍ନା ସାଂସଦ ରହିଛନ୍ତି ।

ଲୋକସଭା ନିର୍ବାଚନ ପାଇଁ ବିଜେପି ତରଫରୁ ଟିକେଟ୍ ପାଇ ଖୁସି ବ୍ୟକ୍ତ କରିଛନ୍ତି ଆକ୍ସନ ଷ୍ଟାର ପୱନ ସିଂ । ଭାରତୀୟ ଜନତା ପାର୍ଟିରୁ ପୁନର୍ବାର ଟିକେଟ ପାଇବା ପରେ ରବି କିଶନ ଗୋରଖନାଥ ମନ୍ଦିରକୁ ଯାଇ ଗୁରୁ ଗୋରଖନାଥ ଜୀଙ୍କର ଦର୍ଶନ କରିଥିବା ଦେଖାଯାଇଛି । ତେବେ ଏହି ତାଲିକା ଅନୁସାରେ, ଚଳିତବର୍ଷ ଲୋକସଭା ଇଲେକ୍ସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ବାରାଣସୀ ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେହିପରି ଗୃହମନ୍ତ୍ରୀ ଅମିତ ଶାହ ଗାନ୍ଧୀନଗର ଆସନ ପାଇଁ ପ୍ରାର୍ଥି ଭାବରେ ନିର୍ବାଚନ ଲଢିବେ । ଏହାବ୍ୟତୀତ ଅରୁଣାଚଳ ୱେଷ୍ଟରୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ, ଦବ୍ରୁଗଡ଼ରୁ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । ସେହିପରି କୋର୍ବାରୁ ସରୋଜ ପାଣ୍ଡେ, ରାୟପୁରରୁ ବ୍ରିଜମୋହନ ଅଗ୍ରୱାଲ, ଦିଲ୍ଲୀ ଚାନ୍ଦନୀ ଚୌକରୁ ପ୍ରବୀଣ ଖଣ୍ଡେଲୱାଲ ଏବଂ ନର୍ଥଇଷ୍ଟ ଦିଲ୍ଲୀରୁ ମନୋଜ ତିୱାରୀଙ୍କୁ ପ୍ରାର୍ଥି ଭାବରେ ଘୋଷଣା କରାଯାଇଛି ।

Get real time updates directly on you device, subscribe now.