ଭୋପାଲ ଗ୍ୟାସ ଟ୍ରାଜେଡିର ୪୦ ବର୍ଷ ପରେ ବି ବର୍ଜ୍ୟବସ୍ତୁ ପ୍ରତି ରହିଛି ଭୟ, ସ୍ଥାନାନ୍ତର ଆଗରୁ ବହୁ କର୍ମଚାରୀ ଛୁଟିରେ

ପିଥମପୁର ୱେଷ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡକୁ ବିର୍ଜ୍ୟବସ୍ତୁ ସ୍ଥାନାନ୍ତର; ଭୟରେ ସାଧାରଣ ଜନତା

ଭୋପାଲ– ୧୯୮୪ ମସିହା ଡିସେମ୍ବର ୨ ତାରିଖରେ ମଧ୍ୟପ୍ରଦେଶର ଭୋପାଲରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ୫୪୭୯ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନେକ ବିକଳାଙ୍ଗ ହୋଇଯାଇଥିଲେ । ତେବେ ଏହି ଭୋପାଲ ଗ୍ୟାସ ଟ୍ରାଜେଡିରେ ୟୁନିଅନ କାର୍ବାଇଡ ପେଷ୍ଟିସାଇଡ ଫ୍ୟାକ୍ଟ୍ରିରୁ ହୋଇଥିବା ଗ୍ୟାସ ଲିକରୁ ବିପର୍ଯ୍ୟୟ ଘଟଣାକୁ ପୁରିଛି ୪୦ ବର୍ଷ ।

ଦୀର୍ଘ ୪୦ ବର୍ଷ ପରେ ପରିତ୍ୟକ୍ତ କାରଖାନାରୁ ବିପଦଜନକ ବିର୍ଜ୍ୟବସ୍ତୁ ସ୍ଥାନାନ୍ତର କରାଯାଇଛି । ଇନ୍ଦୋର ନିକଟବର୍ତ୍ତି ପିଥମପୁର ଇଣ୍ଡଷ୍ଟ୍ରିଆଲ ଏରିଆରେ ଏହାକୁ ନଷ୍ଟ କରାଯିବ ।

ଏହି ବର୍ଜ୍ୟବସ୍ଥୁ ପରିଚାଳନା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଲିସ ପୋଲିସ୍ ଏସକର୍ଟ କରି ଏହି ଗାଡିଗୁଡିକୁ ନେଇଥିଲା ଓ ଏଥିପାଇଁ ଗ୍ରୀନ କରିଡୋର୍ ମଧ୍ୟ କରାଯାଇଥିଲା । ଏହି ବର୍ଜ୍ୟବସ୍ତୁକୁ ନେବା ବେଳେ ୪୦ଟି ଗାଡ଼ି ପ୍ରାୟ ଏକ କିଲୋମିଟର ପର୍ୟ୍ୟନ୍ତ ଲମ୍ୱିଥିଲା । ପିଥମପୁର ୱେଷ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡକୁ ଏହା ପଠାଯାଇଛି ।

ସେଠାରେ ବର୍ଜ୍ୟବସ୍ତୁ ନଷ୍ଟ କରାଯିବ । ୫ଟି ଜିଲ୍ଲାର ପ୍ରଶାସନକୁ ଏଥିପାଇଁ ସଜାଗ କରି ଦିଆଯାଇଛି । ଏହି ସ୍ଥାନାନ୍ତରଣ ବେଳେ ପ୍ରାୟ ୭୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା ।୪୦ ବର୍ଷ ଧରି ଏହି ବିଷାକ୍ତ ପଦାର୍ଥ ଭୋପାଳରେ ପଡି ରହିଥିବାରୁ ମଧ୍ୟପ୍ରଦେଶ ହାଇକୋର୍ଟ ଉଦବେଗ ପ୍ରକାଶ କରିଥିଲେ । ସରକାରଙ୍କୁ ଗତମାସରେ ଏହି ବର୍ଜ୍ୟବସ୍ତୁ ଉଠାଇବାକୁ ୪ ମାସ ସମୟ ଦେଇଥିଲେ ।

ଏକ ମାମଲାର ଶୁଣାଣି ବେଳେ ହାଇକୋର୍ଟ ପ୍ରଶାସନିକ ଅଧିକାରୀଙ୍କୁ କହିଥିଲେ, ତୁମେ କ’ଣ ଆଉ ଏକ ଦୁର୍ଘଟଣାକୁ ଅପେକ୍ଷା କରିଛ କି ? ଏହି ବର୍ଜ୍ୟବସ୍ତୁ ତ ଉଠିଲା । କିନ୍ତୁ ପିଥମପୁରର ଲୋକମାନେ ଏବେ ଆଶଙ୍କାରେ । ଏହା କିଛି ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିବନି ତ ? ତେବେ ଏହା ପରିବେଶ, ଜମି କି ଆଖପାଖର ଲୋକଙ୍କ ଉପରେ କୌଣସି ଖରାପ ପ୍ରଭାବ ପକାଇବନି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।ରଶାସନର ଆଶ୍ୱାସନା ସତ୍ତ୍ୱେ ଇଣ୍ଡଷ୍ଟ୍ରିଆଲ୍ ଏରିଆରେ କାମ କରୁଥିବା କର୍ମଚାରୀଙ୍କ ମନରେ ଛନକା ପଶିଛି ।

ବର୍ଜ୍ୟବସ୍ତୁ ନିଆଯାଇଥିବାରୁ କେତେଜଣ କର୍ମଚାରୀ ଛୁଟିରେ ଯାଇଥିବା କହିଛନ୍ତି ଏକ ଶିଳ୍ପ ସଂସ୍ଥାର ମାଲିକ । ଏହି ଅଞ୍ଚଳକୁ ଏହି ବିଷାକ୍ତ ପଦାର୍ଥ ସ୍ଥାନାନ୍ତରଣ ଓ ଏଥିପାଇଁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ସଂପର୍କରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରାଯାଇନଥିବା କହିଛନ୍ତି ଜଣେ ବରିଷ୍ଠ ନାଗରିକ । ତେବେ ଲୋକଙ୍କର କିଛି ବି କ୍ଷତି ହେବନାହିଁ ବୋଲି କହିଛନ୍ତି ଜଣେ ବରିଷ୍ଠ ପ୍ରଶାସକ ।