ବଡ଼ ଖବର! ବନ୍ଦ ହୋଇଯିବ ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂ: ଦୋକାନୀ ସଂଘ ତରଫରୁ ଚେତାବନୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଥିବା ୟୁନିଟ-୨ ମାର୍କେଟ ବିଲ୍ଡିଂକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ମାର୍କେଟ ଭିତରେ ଥିବା ସମସ୍ତ ଦୋକାନ ବନ୍ଦ ହେବାକୁ ଯାଉଛି ବୋଲି ଜାଣିବାକୁ ମିଳିଛି । ଖୁବଶୀଘ୍ର ମାର୍କେଟ ବିଲ୍ଡିଂର ସମସ୍ତ ଦୋକାନ ବନ୍ଦ କରିବା ପାଇଁ ଚେତାବନୀ ଜାରି କରିଛନ୍ତି ଏଠାକାର ସ୍ଥାୟୀ ମାଲିକ ସଂଘ । ତେବେ ଏହା ଜାଣିବା ପରେ ସ୍ଥାନୀୟ ବାସିନ୍ଦା ଏବଂ ଗ୍ରାହକଙ୍କ ପାଇଁ ଚିନ୍ତା ବଢିଯାଇଛି ।

ଭୁବନେଶ୍ୱରରେ ବିଭିନ୍ନ ଘର ଉପକରଣ ହେଉ କିମ୍ବା ପୋଷାକ ପତ୍ର ଇତ୍ୟାଦି ଜିନିଷ କମ୍ ମୂଲ୍ୟରେ ପାଇବାକୁ ହେଲେ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି ୟୁନିଟ-୨ ମାର୍କେଟ ବିଲ୍ଡିଂ । ତେବେ ଏହି ମାର୍କେଟ ବିଲ୍ଡିଂ ଖୁବଶୀଘ୍ର ବନ୍ଦ କରି ଦିଆଯାଇପାରେ । ଏଠାରେ ଅନେକ ବୁଲା ବିକାଳୀଙ୍କ ଅନଧିକୃତ ପ୍ରବେଶକୁ ନେଇ ସ୍ଥାୟୀ ଦୋକାନ ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେଣୁ ଏହାକୁ ରୋକିବା ପାଇଁ ସେମାନେ ଦାବି କରିଛନ୍ତି । ତେବେ ଯଦି ଏହି ସମସ୍ୟାକୁ ଆଗାମୀ ୩ ଦିନ ମଧ୍ୟରେ ସମାଧାନ କରା ନଯାଏ, ତେବେ ସ୍ଥାୟୀ ଦୋକାନୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦୋକାନ ବନ୍ଦ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଅନୁସାରେ, ମାର୍କେଟ ଭିତରକୁ ପ୍ରବେଶ ପାଇଁ ଅନୁମତି ନଥିବା ବୁଲାବିକାଳୀ ମାନଙ୍କୁ କେବଳ ଭର୍ଚୁଆଲ ମାଧ୍ୟମରେ ବନ୍ଦ କରିବା ପାଇଁ କୁହାଯାଇଥିଲା, ଯାହାପରେ ସେମାନେ ଏବେ ଅସ୍ଥାୟୀ ଭାବରେ ନିଜ ପସରା ଖୋଲି ବସୁଛନ୍ତି । ଏହାସହିତ ମାର୍କେଟର ବିଭିନ୍ନ ସ୍ଥାନରେ ଏଣେତେଣେ ଅଳିଆ ଆବର୍ଜନା ପକାଇ ପରିବେଶ ନଷ୍ଟ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ତେଣୁ ଏହାଦ୍ୱାରା ଦୋକାନୀଙ୍କ ସହ ବହୁ ପରିମାଣରେ ଆସୁଥିବା ଗ୍ରାହକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ବାରମ୍ବାର ଏ ନେଇ ଅଭିଯୋଗ ପରେ ମଧ୍ୟ ଏହାକୁ ଦେଖି ନ ଦେଖିଲା ଭଳି ରହୁଛି ବିଏମସି । ତେଣୁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦୋକାନସବୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା କୁହାଯାଇଛି । ସେପଟେ ଖୁବଶୀଘ୍ର ସମସ୍ୟାର ସମାଧାନ ନକଲେ ସମସ୍ତ ଦୋକାନୀ ଏବଂ ସେମାନଭ୍କ ପରିବାର ମିଶି ମେୟରଙ୍କ ପରିବାର ସମ୍ମୁଖରେ ପ୍ରତିବାଦ କରିବେ । ଏହାସହିତ ମାର୍କେଟ ବିଲ୍ଡିଂର ସମସ୍ତ ସ୍ଥାୟୀ ଦୋକାନ ବନ୍ଦ କରିବା ନେଇ ଚେତାବନୀ ଦେଇଛନ୍ତି ଆସୋସିଏସନର ଯୁଗ୍ମ ସମ୍ପାଦକ ରଞ୍ଜିତ ମହାନ୍ତି ।